ଓସଡମା ପକ୍ଷରୁ ଗୁଡୁପାଇଲୋ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସଂସ୍ଥା (ଓସଡମା) ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ଗ୍ରାମ ପଂଚାୟତରେ ଗୁଡୁପାଇଲୋ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା କମିଟି ମେମ୍ବର ୨୫ ଜଣ, ସନ୍ଧାନ ଓ ଉଦ୍ଧାରକାରୀ ଦଳ ୨୫ ଜଣ ଓ ପ୍ରାଥମିକ ସହାୟତାକାରୀ ଦଳ ୨୫ ଜଣ ଲେଖାଏଁ ଯୋଗ ଦେଇ ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଲାବନେନ୍ଦୁ ମାହାନ୍ତି ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ଗୁଆଳିପଡା ପଞ୍ଚାୟତ ସରପଞ୍ଚ ତଥା ଆଶ୍ରୟ ସ୍ଥଳୀର ସଭାପତି ଗୀତାଞ୍ଜଳି ସ୍ଵାଇଁ ଓ ଆଶ୍ରୟ ସ୍ଥଳୀର ସମ୍ପାଦକ ତଥା ସମାଜସେବୀ ଅଧିକାରୀ ପ୍ରଧାନ, ସମିତି ସଭ୍ୟାଙ୍କ ପ୍ରତିନିଧି ଶରତ କୁମାର ପଟ୍ଟନାୟକ, ଓସଡମାର ପ୍ରଶିକ୍ଷକ ବିମଳ ପ୍ରସାଦ ପାଣି, ପ୍ରସନ୍ନ କୁମାର ବେହେରା, ତୋଫାନ କୁମାର ବେହେରା, ବସନ୍ତ କୁମାର ଜେନା ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟର ଅନୁଭୂତି ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସମାଜସେବୀ ଅଧିକାରୀ ପ୍ରଧାନ ଗାଁ ସ୍କୁଲ ଓ ରାସ୍ତା ସମସ୍ୟା ସମ୍ପର୍କରେ ବିଡ଼ିଓ ଓ ଉପାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାହା ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉଭୟ ବିଡ଼ିଓ ଓ ଉପାଧ୍ୟକ୍ଷ କହିଥିଲେ । ନୋଡାଲ ଏନଜିଓ ଭାବେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାଶ ସମସ୍ତ କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ । ବିପର୍ଯ୍ୟୟ ସମୟରେ କିଭଳି ଭାବରେ ବିପଦକୁ ହ୍ରାସ କରାଯାଇପାରିବ ଏବଂ ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି ଓ ବିପର୍ଯ୍ୟୟ ସମୟରେ ଉଦ୍ଧାରକାରୀ ଦଳମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସଂଘବଦ୍ଧ ଭାବରେ ମୁକାବିଲା ଶିକ୍ଷାଦାନ କରିବା ପାଇଁ କମିଟି ମେମ୍ବରମାନଙ୍କର ବିଭିନ୍ନ ଦାୟିତ୍ୱ ସମ୍ପର୍କରେ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୧୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାଦାତା ଭାବରେ ବିମଳ ପ୍ରସାଦ ପାଣି, ପ୍ରସନ୍ନ କୁମାର ବେହେରା, ତୋଫାନ କୁମାର ବେହେରା ଓ ବସନ୍ତ କୁମାର ଜେନା ପ୍ରମୁଖ ୪ ଜଣ ଓସଡମାର ପ୍ରଶିକ୍ଷକ ଭାବରେ ତାଲିମ ଦେଇଥିଲେ । ଶେଷରେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.