ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ତୁଳସୀ ପଲ୍ଲୀ- ସାହାଣପଲ୍ଲୀ ଗ୍ରାମ ମଧ୍ୟ ଭାଗରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଲାପଡା ଗ୍ରାମର ଯୁବ ବ୍ୟବସାୟୀ ଭୋଳା ପ୍ରଧାନ(୩୦) ଓ ତାଙ୍କ ପାଖରେ କାମ କରୁଥୁବା କଣ୍ଟାଡୋର ଗ୍ରାମର ଲୋକନାଥ ସ୍ୱାଇଁ ମିଶି କୌଣସି କାମରେ ଭଞ୍ଜନଗର ଆସି ବାଇକରେ (ଓଡି ୩୨ ଏଚ୍ ୧୦୬୯୦)ଗ୍ରାମକୁ ଫେରୁଥିଲେ । ଏହି ସମୟରେ କୁଲାଡ ପଟୁ ଅନ୍ୟ ଏକ ବାଇକରେ ବାଉଁଶ ଲୁଣ୍ଡି ଗ୍ରାମର ଅବିନାଶ ପ୍ରଧାନ(୨୩), ନେତ୍ରାନନ୍ଦ ସାହୁ(୨୪), ଚନ୍ଦନ ନାୟକ(୨୪) ଦ୍ରୁତ ଗତିରେ ଭଞ୍ଜନଗର ଆଡକୁ ଆସୁଥୁଲେ । ସାହାଣପଲ୍ଲୀ – ତୁଳସୀ ପଲ୍ଲୀ ମଝିରେ ଏକ ଟ୍ରକ୍‌କୁ ଓଭର ଟେକ୍ କରି ଭୋଳା ଓ ଲୋକନାଥ ଆସିବା ବେଳେ ଅବିନାଶଙ୍କ ବାଇକ୍ ସହ ଧକ୍କା ଖାଇ ରାସ୍ତାରେ ଛିଟିକି ପଡିଥିଲେ । ଆଉ ଦ୍ରୁତ ଗତିରେ ଯାଉଥିବା ଅଜଣା ଟ୍ରକ୍‌ଟି ଉଭୟ ଭୋଳା ପ୍ରଧାନ ଓ ଲୋକନାଥଙ୍କ ଉପରେ ମାଡିଯାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନେ ଆହତ ହୋଇଥିଲେ । ଖବର ପାଇ ଭଞ୍ଜନଗରରୁ ଆମ୍ବୁଲାନ୍ସ ଯାଇ ଆହତମାନଙ୍କୁ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା । ଅପରପକ୍ଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.