ବାଲ୍ୟବିବାହ ରୋକିଲା ପ୍ରଶାସନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତ କନ୍ଦିଓଡା ଗ୍ରାମରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବୁଧବାର ସକାଳେ ଏହି ଗ୍ରାମରେ ବାଲ୍ୟବିବାହ ଚାଲିଥିବା ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ପରେ ଚନ୍ଦାହାଣ୍ଡି ପୁଲିସ ଏବଂ ଚନ୍ଦାହାଣ୍ଡି ଆଇସିଡିଏସ ବିଭାଗର କର୍ମଚାରୀ ମିଳିତ ଭାବେ ସେହି ଗ୍ରାମରେ ପହଞ୍ଚି ବାଲ୍ୟବିବାହକୁ ବନ୍ଦ କରାଇଥିଲେ । ସିଡିପିଓ ସୈରେନ୍ଦ୍ରି ମହାନନ୍ଦ ମଣ୍ଡଳ, ପରିଦର୍ଶିକା ପୁଲସରା ଭତ୍ରା, ନନ୍ଦିନୀ ଶତପଥୀ, ଡଳିଳ ଖୋସଲା ଏବଂ ଅଙ୍ଗନୱାଡି କର୍ମୀ ଜୟନ୍ତୀ ନାୟକଙ୍କ ସହ ଚନ୍ଦାହାଣ୍ଡି ପୋଲିସ ବସନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ପୁଅ, ଝିଅ ଏବଂ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଭବିଷ୍ୟତରେ ଏଭଳି ବେଆଇନ କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଥିଲେ । ଝିଅର ବୟସ ୧୮ ନ ହେବା ପର୍ଯ୍ୟନ୍ତ ଝିଅକୁ ବିବାହ କରାଗଲେ ଏହା ଆଇନତଃ ଅପରାଧ ବୋଲି କହିବା ସହ ଏଥିରେ ଖିଲାପ ହେଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ପରିବାରକୁ ବୁଝାଯାଇଥିଲୋ । ପରେ ଉଭୟ ପରିବାରଙ୍କ ସହମତିରେ ବାହାଘରକୁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.