ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିତ

  • ପାରସ ଏକକ ଚମ୍ପିଆନ, ଶୃତିଙ୍କୁ ଦ୍ୱିମୁକୁଟ
  • ହର୍ଷିତା-ଶୃତି, ଅଭିଜିତ- ହର୍ଷିତା ଓ ଅମ୍ଲାନ-ତନ୍ମୟଙ୍କୁ ଯୁଗଳ ଟାଇଟଲ
  • ସାରା ରାଜ୍ୟର ଖେଳାଳିଙ୍କ ଖେଳର ଉନ୍ନତିର ମାଧ୍ୟମ ହେବ ଏହି ଷ୍ଟାଡିୟମ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ଆଜି ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ପାରସ ମାଥୁର ପୁରୁଷ ଏକକ ଚମ୍ପିଆନ ହୋଇଥିବା ବେଳେ ଶୃତି ସ୍ୱାଇଁ ଉଭୟ ଏକକ ଓ ଯୁଗଳ ଫାଇନାଲ ଜିତି ଦ୍ୱିମୁକୁଟ ହାସଲ କରିଛନ୍ତି । ସେହିପରି ହର୍ଷିତା-ଶୃତି ମହିଳା ଯୁଗଳ ବର୍ଗ, ହର୍ଷିତା-ଅଭିଜିତ ମିଶ୍ରିତ ଯୁଗଳ ବର୍ଗ ଓ ଅମ୍ଲାନ-ତନ୍ମୟ ପୁରୁଷ ଯୁଗଳ ବର୍ଗରେ ଫାଇନାଲ ଜିତି ଟାଇଟଲ ଉପରେ କବଜା କରିଛନ୍ତି । ମଙ୍ଗଳବାର ଦିନ ସମସ୍ତ ବର୍ଗର ସେମି ଫାଇନାଲ ଓ ଫାଇନାଲକୁ ନେଇ ସମୁଦାୟ ୧୩ ଗୋଟି ମ୍ୟାଚ ଖେଳା ଯାଇଥିଲା । ପୁରୁଷ ଏକକ ବିଭାଗରେ ପାରସ, ଆର୍ଯ୍ୟଙ୍କୁ ଓ ସୁମନ୍ତ, ସ୍ୱାଧୀନଙ୍କୁ ହରାଇ ଫାଇନାଲକୁ ପହଞ୍ଚିଥିଲେ । ଶେଷରେ ପାରସ ଫାଇନାଲରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସୁମନ୍ତଙ୍କୁ ହରାଇ ପୁରୁଷ ଏକକ ଚମ୍ପିଆନ ଅଖ୍ୟା ଅର୍ଜନ କରିଥିଲେ । ପୁରୁଷ ଯୁଗଳ ବିଭାଗରେ ଅମ୍ଲାନ-ତନ୍ମୟ ଓ ଅଭିଜିତ-ଅମ୍ରିତଙ୍କ ଯୋଡି ମଧ୍ୟରେ ଶେଷ ମ୍ୟାଚ ଖେଳା ଯାଇଥିଲା । ରୋମାଞ୍ଚକର ଫାଇନାଲରେ ଅମ୍ଳାନ- ତନ୍ମୟ ଜୋଡି ଫାଇନାଲ ବାଜି ଜିତି ଥିଲେ । ମହିଳା ଏକକ ବର୍ଗର ସେମିଫାଇନାଲରେ ହର୍ଷିତା, ଗୀତାଶ୍ରୀଙ୍କୁ ଓ ଶୃତି, ସ୍ୱାଗତିକାଙ୍କୁ ହରାଇ ଫାଇନାଲରେ ପଦାର୍ପଣ କରିଥିଲେ । ରୋଚକ ଫାଇନାଲ ମ୍ୟାଚରେ ଶୃତି, ହର୍ଷିତାଙ୍କ ଉପରେ ବିଜୟ ଲାଭ କରିଥିଲେ । ମହିଳା ଯୁଗଳ ବିଭାଗର ଫାଇନାଲରେ ମ୍ୟାଚ ଅନୁଜା-ପୁର୍ବା ଓ ହର୍ଷିତା-ଶୃତିଙ୍କ ଯୋଡି ପରସ୍ପରକୁ ଭେଟିଥିଲେ । ଶେଷରେ ହର୍ଷିତା-ଶୃତିଙ୍କ ଜୋଡି ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ ମୁକୁଟ ପିନ୍ଧିଥିଲେ । ସେହିପରି ମିଶ୍ରିତ ଯୁଗଳ ବର୍ଗର ଫାଇନାଲ ମ୍ୟାଚରେ ଅବିନାଶ-ଅନୁଜାଙ୍କ ଯୋଡିଙ୍କୁ ଅଭିଜିତ-ହର୍ଷିତାଙ୍କ ଯୋଡି ମାତ ଦେଇ ଫାଇନାଲ ଜିତି ଥିଲେ ।
ସାଂଗଠନିକ ସଂପାଦକ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଷ୍ଟାଡିଅମ ସାରା ରାଜ୍ୟର ବ୍ୟାଡମିଣ୍ଟନ ଖେଳାଳିଙ୍କ ଖେଳର ଉନ୍ନତିର ମାଧ୍ୟମ ହେବ ବୋଲି କହିଥିଲେ । ସେହିପରି ଜିଲ୍ଲା ଜଙ୍ଗଲ ଅଧିକାରୀ ନିତିଶ କୁମାର ଓ ଧର୍ମେନ୍ଦ୍ର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଅୟୋଜକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା, ଏକମୋଡେସନ ଇନଚାର୍ଜ ମାନସ ମହାନ୍ତି, ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧିର ପଣ୍ଡା, କବିଚନ୍ଦ୍ର ଠାକୁର, ଗୌରାଙ୍ଗ ରାଉତ, ଲୋପନ ମିଶ୍ର, ଜୋନାଲ କୋଡିନେଟର ଦେବାଶିଷ ମିଶ୍ର, ମ୍ୟାଚ କୋଡିନେଟର ସୁରେନ୍ଦ୍ର ନେପାଲ ଓ ଆଦିତ୍ୟ କେଜ୍ରିୱାଲ ଉଦଯାପନୀ ଉତ୍ସବର ସମସ୍ତ ଦାଇତ୍ୱ ତୁଲାଇ ଥିଲେ । ଚିଫ ରେଫରି ତଥା ମ୍ୟାଚ କନ୍ଟୋଲର ବିଜୟ ବାଗ, ଜୟନ୍ତ ମିଶ୍ର ଡେପୁଟି ରେଫରି, ସୁନିଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଚନ୍ଦ୍ରଶେଖର ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୌରଭ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!