ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୧୪ ଜଣ ବରିଷ୍ଠ ନାଗରିକଙ୍କ ବୃନ୍ଦାବନ : ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଞ୍ଚଳରର ୧୧୪ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବୃନ୍ଦାବନ, ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର ଯାଇଛନ୍ତି । ସମ୍ବଲପୁରରୁ ଆସନ୍ତାକାଲି ସ୍ଵତନ୍ତ୍ର ତୀର୍ଥ ଯାତ୍ରୀ ଟ୍ରେନ ଯୋଗେ ବୃନ୍ଦାବନ, ମଥୁରା ଓ ଆଗ୍ରା ନିମନ୍ତେ ଯାତ୍ରା କରିବେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ଏହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଶୁଭ କାମନା ଜଣାଇବା ସହ ମଙ୍ଗଳ କାମନା କରିଥିଲେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରୁ ରାଜ୍ୟ ସଡକ ପରିବହନ ନିଗମର ତିନି ଗୋଟି ସ୍ଵତନ୍ତ୍ର ବସ ଯୋଗେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସମ୍ବଲପୁର ଯାତ୍ରା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ, ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରୀ ବସର ଯାତ୍ରା ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସହକାରୀ ନିର୍ଦ୍ଦେଶକ ଯୋଜନା ସଞ୍ଜୟ କୁମାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଠାରୁ ବାହାରିଥିବା ସମସ୍ତ ୧୧୪ ଜଣ ତୀର୍ଥ ଯାତ୍ରୀଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଗୋଟିଏ ଲେଖାଏଁ ସାଲ ଓ ଆବଶ୍ୟକୀୟ ମେଡ଼ିସିନ କିଟ ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ତୀର୍ଥ ଯାତ୍ରୀଙ୍କ ସହ ତିନି ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପଠାଯାଇଛି । ସେମାନେ ହେଲେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ତ୍ରିଲୋଚନ ବାଗ, ଚିତ୍ତରଞ୍ଜନ ସାହୁ ଓ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସନକ ମିଶ୍ର । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଆସନ୍ତାକାଲି ସମ୍ବଲପୁରରୁ ବାହାରି ବୃନ୍ଦାବନ, ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା ସମାପ୍ତ କରି ୨୨ ତାରିଖରେ ବଲାଙ୍ଗିର ଫେରିବେ । ଏହି ତୀର୍ଥ ଯାତ୍ରାର ସୁଯୋଗ ପାଇଥିବାରୁ ସମସ୍ତ ତୀର୍ଥ ଯାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!