ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

  • ଶିକ୍ଷାର ବିକାଶରେ ଅଞ୍ଚଳର ବିକାଶ ହେବ – ମନ୍ତ୍ରୀ ନିରଂଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ମେଣ୍ଡା ସ୍ଥିତ ମହିର୍ଷି ବୁଦ୍ଧରାମ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରିୟବ୍ରତ ମହାକୁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାହାରୀ, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଅଧିକାରୀ ନିହାର ରଂଜନ କଅଁର, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ସୋନପୁର ଜିଲ୍ଲା ସରପଞ୍ଚ ସଂଘ ସଭାପତି ଗଣନାଥ ସାହୁ ଓ କଲେଜ ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ଯୋଗ ଦେଇଥିଲେ । ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପଶ୍ଚିମ ଓଡିଶାର ଏକ ଉପାନ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅନୁଷ୍ଠାନ ଏହି ଅଞ୍ଚଳରେ ଶିକ୍ଷାର ବିକାଶ କରୁଛି । ଏହି ଅଞ୍ଚଳରେ ଅନେକ ଭିତ୍ତିଭୂମିର ବିକାଶ ହୋଇଛି । କିନ୍ତୁ ଶିକ୍ଷାର ବିକାଶ ହେଲେ ଯାଇ ଏହି ଅଞ୍ଚଳର ପ୍ରକୃତ ବିକାଶ ହେବ । ଏମବିଆର ଡିଗ୍ରୀ କଲେଜରେ ଅଧିକ ପରିମାଣରେ ଝିଅ ପାଠ ପଢୁଥିବାରୁ ମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । କଲେଜର ଶ୍ରେଣୀଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସେହିପରି ଜିଲ୍ଲା ଉନ୍ନୟନ ଅଧିକାରୀ ମଧ୍ୟ ଜିଲ୍ଲା ପ୍ରଶାସନ କଲେଜର ଭିତ୍ତିଭୂମି ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବେ ବୋଲି କହିଥିଲେ । ଏହି ଅବସରରେ କଲେଜର ନିର୍ମାଣ ପାଇଁ ମାଗଣାରେ ଭୂମିଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ କଲେଜ ନିର୍ମାଣରେ ବିଶେଷ ଭୂମିକା ନେଇଥିବା ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ପତ୍ନୀ ତାରା ଅଗ୍ରୱାଲଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବାର୍ଷିକୋତ୍ସବ ଅବସରରେ କଲେଜରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ସିଲ ଦିଆଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ କଲେଜର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଏମବିଆର ଡିଗ୍ରୀ କଲେଜ ଓ ଯୁକ୍ତଦୁଇ କଲେଜର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । କଲେଜ କମିଟିର ନାରଦ ପୂଜାହାରୀ, ନାରାୟଣ ଝାଙ୍କର, ହୃଷିକେଶ ପାତ୍ର, କିଶୋର ପଣ୍ଡା, ଶମ୍ଭୁ ପର୍ଦ୍ଧିଆଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!