ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଡକାବାହାଲି ଗ୍ରାମର ଅକ୍ଷୟ ଗୌଡ଼, ଟୁଟୁ ଚଣ୍ଡୀ ଓ ରଘୁ ଗୌଡ଼ । ସମ୍ପୃକ୍ତ ୩ ଯୁବକ ସ୍ଥାନୀୟ ଉତ୍କେଲାରୁ କ୍ରିକେଟ ଖେଳି ବାଇକ୍(ନଂ.ଓଡି୦୮ଜେ ୦୮୬୬)ରେ ଗାଁକୁ ଫେରୁଥିଲେ । ହେଲେ ବେଳାମାଲ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର (ନଂ.ଟିଏନ୍୮୮ସି-୩୫୮୫) ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ୍ ଆରୋହଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ସମ୍ପର୍କୀୟ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯାତାୟାତ ବନ୍ଦ ରହିଥିଲା । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା ।