jayashree

ହାତୀ ଆକ୍ରମଣରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା : ଦନ୍ତା ହାତୀ ଆକ୍ରାମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ରବିବାର ରାତିରେ ଦୁଇଟି ହାତୀ ରତ୍ନାକର ବେହେରାଙ୍କ ଖଳାରେ ଥିବା ଧାନ ଗଦାରୁ ଖାଉଥିଲେ । କ’ଣ ଖସ ଖସ ହେଉଛି ଶୁଣି କାଳେ କିଏ ଧାନ ନେଉଥିବା ସନ୍ଦେହ କରି ରାତ୍ନାକର ଓ ବନ୍ଧୁ ବରାଳଙ୍କ ସହ ବାଡି଼କୁ ଯାଇଥିଲେ । ସେଠାରେ ଦନ୍ତା ହାତୀ ଉଭୟଙ୍କୁ ଆକ୍ରମଣ କରିଥିଲା । ରତ୍ନାକରଙ୍କୁ ଦଳି ହାତୀ ଦେଇଥିଲା । ଗାଁ ଲୋକ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ରତ୍ନାକର ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚଙ୍କଠାରୁ ଖବର ଖବର ମିଳିଛି । ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣଙ୍କୁ ଏକ ଦନ୍ତା ଆକ୍ରମଣ କରିଛି । ବନ କର୍ମଚାରୀମାନେ ଦନ୍ତା ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ଆହତ ବନ୍ଧୁ ବରାଳଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.