ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ସିଜିନରେ ବରିଷ୍ଠ ମହିଳା ଗୃପରେ ରାଉରକେଲାର ଅମିଶା ସିଂ ରାଜପୁତ, ପୁରୁଷ ବିଭାଗରେ କୁଆରମୁଣ୍ଡାର ପ୍ରତୀକ ଦାସ, ଜୁନିଅର ବିଭାଗରେ ରାଉରକେଲାର ଦେବାଂଶୀ ବାରିକ, ସବ ଜୁନିଅର ବିଭାଗରେ ଝାରସୁଗୁଡାର ରାଜଶ୍ରୀ ସିଂ ଓ ବିବାହିତା ମହିଳା ଗୃପରେ ଝାଡଖଣ୍ଡର ମିତାଲି ଦାସ ବିଜୟୀ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ସଭାପତି ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତା ଓ ମୁଖ୍ୟ ଲୀନା ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସର୍ବଶ୍ରୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ପ୍ରଦୀପ୍ତ କୁମାର ଦାସ, ପଦ୍ମିନୀ ପାଣିଗ୍ରାହୀ, ଜାହାଙ୍ଗିର ହକ୍, ଅନୁପ ମୋଦୀ, ଗୁରିନ୍ଦର ସିଂ, ପିଙ୍କୁ ଜୟଶ୍ୱାଲ, ଗଗନ ପଣ୍ଡା ଓ ସନ୍ଥମା ପିଲାଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଅନ୍ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ଫାଇନାଲ ରାଉଣ୍ଡ ୧୭ ତାରିଖ ଦିନ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଏଲିମା କର, ସୋନି ପିଲାଇ, ରାକ୍ଷୀ ମଣ୍ଡଳ, ସାଧନା ସାମଲ, ଆଶିଷ ବେହେରା ଓ ଡି ପୂଜା, ଅମ୍ଲାନ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ । ଏହି ଅବସରରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ବସନ୍ତ କୁମାର ଦାସ, ବିଶ୍ୱଜିତା ମହାପାତ୍ର, ସନ୍ତୋଷ ରଥ, ଆନନ୍ଦ ସୁନା ଓ ଗୃପ, ମମତା ଗୃପ ଭଳି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ର ପାଇଁ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ସର୍ବଶ୍ରୀ ଶୁଭଜିତ ପଣ୍ଡା, ଦେବଲିନା ରାୟ ଓ ବର୍ଣ୍ଣାଳୀ ରାଉତ ପ୍ରମୁଖ ମଂଚ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡି ପଦ୍ମିନୀ, ସୋନୁ ମୁଖାର୍ଜୀ, ପପିଆ ମୁଖାର୍ଜୀ, ଅଂଶୁମାନ ସ୍ୱାଇଁ, ଶୁଭମ ସାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହର ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ଦର୍ଶକ ଏହାକୁ ଉପଭୋଗ କରିଥିଲେ ।