
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀ ପକ୍ଷରୁ ତ୍ରିଦିବସୀୟ ସାଂସ୍କୃତିକ ମହୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଆରଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ ଆର ସୂର୍ଯ୍ୟବଂଶୀ, ଦୀପିକା ମହିଳା ସଂହତିର ସଭାପତି ସୀମା ଦେବ ଭୌମିକ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଜିତେନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ରାଧାଶ୍ୟାମ ମହାନ୍ତି ଓ ଡା. ପୂଜା ପତି ସଂଯୋଜନା କରିଥିଲେ । ସଭାପତି ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ଦେବାପରେ ଦିବ୍ୟାଙ୍ଗମାନଙ୍କୁ ନେଇ ‘ସତ କହିବାକୁ କିଆଁ ଡରିବି’ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅନୁଷ୍ଠାନର ସ୍ମରଣିକା ‘ମଣିଷ ଖୋଜେ ମଣିଷ’ ଉନ୍ମୋଚିତ ହୋଇଥିଲା । ଲାଠିକଟା ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ‘ମୋ ଆଖିର କେତେ କଥା’ ଓ ମାରାଙ୍ଗବୁର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଟ୍ରାଇବାଲ ଡ୍ୟାନ୍ସ ଡ୍ରାମା ସୋହରାୟ ପରବ ତଥା ଦନ୍ତା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଏକ ନିଆରା କାର୍ଯ୍ୟକ୍ରମରେ ରଜତ କୁମାର ସାହୁ, ଦୃଷ୍ଟିବାଧିତ ଶିକ୍ଷକ ଦିବ୍ୟସୁନ୍ଦର ପରିଡା ଓ ଅଧ୍ୟାପିକା ଅପରାଜିତା ସାମଲ ପ୍ରମୁଖ ନିଜ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ନାଟ୍ୟକାର ଲାଲା ବିରେନ ପ୍ରସାଦ ରାୟ ଓ ଅଭିନେତା ଅଶୋକ କରଙ୍କୁ କସ୍ତୁରୀ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସରେ ଆରଏସପିର ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡା. ବିରଞ୍ଚି କୁମାର ହୋତା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପସଭାପତି ଡ. ତାପସ ରଂଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଲିଖିତା ସେଠୀ ଓ ସାଥୀବୃନ୍ଦ କଥକ ନୃତ୍ୟ ପରିବେଷଣ କରିଥିବା ବେଳେ ‘ଶ୍ରଦ୍ଧା’ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ପ୍ରିତୀ ବାରିକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଆମ ଭବିଷ୍ୟତ’ ଓ ପ୍ରଦୀପ ପଣ୍ଡା ନିର୍ଦ୍ଦେଶିତ ନାଟକ ‘ଲଜ୍ଜା’ ସାରନା ନବ ଯୁବକ ସଂଘ ଦ୍ୱାରା ପରିବେଷଣ କରାଯାଇଥିଲା । ସେହିପରି ତୃତୀୟ ଦିବସରେ ଦୀର୍ଘ ୩୫ ଦିନ ଧରି ନାଟ୍ୟ କର୍ମଶାଳାର ଛାତ୍ରଛାତ୍ରୀଙ୍କୁ ନେଇ ତଥା ନାଟ୍ୟକାର ଡ. ସଂଜୟ ହାତୀଙ୍କ ନିର୍ଦ୍ଦେଶିତ ନାଟକ ‘ଦୃଶ୍ୟମ’ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରେ ନରେନ୍ଦ୍ର ସିଂ କଲ୍ହାଙ୍କୁ ୧୮୮ ଥର ରକ୍ତଦାନ କରିଥିବାରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ, ପ୍ରଦୀପ୍ତ କୁମାର ମହାପାତ୍ର, ସୁବାସଚନ୍ଦ୍ର ମହାନ୍ତି, ମନୋଜ କୁମାର ଷଡଙ୍ଗୀ, ଡା. ସମୀର ପାତ୍ର, ପ୍ରତାପ ସ୍ୱାଇଁ, ଦିଲ୍ଲୀପ କୁମାର ଭଞ୍ଜ, ଡ. ତାପସ ରଂଜନ ମହାନ୍ତି, ଦୀପକ ରଥ, ଯୁବଜାନୀ ବେଜ, ରାକେଶ ନାୟକ, ପାଣ୍ଡବ ମଲ୍ଲିକ, ଅଶୋକ କୁମାର ବଳ, ସୁଶାନ୍ତ ଦାଶ, ରମେଶ ପାତ୍ର, ପ୍ରଫୁଲ୍ଲ ମହାରଣା, ସାଜି ମାଥ୍ୟୁସ, ରଞ୍ଜିତ ସାହୁ, ଗଜେନ୍ଦ୍ର ମୁର୍ମୁ, ନିହାର ରଂଜନ ମିଶ୍ର, ପ୍ରିତୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
