ସେଞ୍ଚୁରିଅନ ବିଦ୍ୟାଳୟ ଜେଆଇଟିଏମ୍‌ରେ ଟିଚ୍‌ ଫେଆର୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ,ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢି ତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ନେଇ ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ ସ୍କୁଲର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ କଳାର ପ୍ରଦର୍ଶନୀ ଉତ୍ସବର ଆୟୋଜନ ଆଜି କରିଥିଲେ । ଉତ୍ସବରେ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପମାନ ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ପ୍ରାୟତଃ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଉତ୍ସବର ଉଦ୍‌ଘାଟନ କରିଥିଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜେଆଇଟିଏମ୍‌ ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ ଏବଂ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉଚିତ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମଟିକୁ ସଫଳ ରୂପ ଦେବାରେ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକ୍ରମ ସଂଚାଳକ ରୋହିତ ନାଏକ ଉପସ୍ଥିତ ରହି ସବୁ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଥିଲେ । ଉତ୍ସବରେ ବିଚାରକ ଭାବରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶିଷ କୁମାର ଷଡ଼ଙ୍ଗୀ, ରସାୟନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ନିଳୟ ମହାନ୍ତି, ଉଦ୍ଭିଦ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଶାନ୍ତନୁ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ମନୋବୃତ୍ତି ବିଶିଷ୍ଟ ହେବା ପାଇଁ ଏବଂ କଳା ପାଇଁ ସବୁବେଳେ ଅନୁସନ୍ଧିସ୍ତୁ ହେବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପେ ସମ୍ପାଦିତ କରିଥିଲେ । ପ୍ରଦର୍ଶନୀର କୃତି ପ୍ରତିଯୋଗୀ ମାନଙ୍କର ନାମ ବା ଫଳାଫଳ ଆଗାମୀ ଦିନର ବାର୍ଷିକ ଉତ୍ସବ ଦିନ ଘୋଷଣା କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ଘୋଷଣା କରିଥିଲେ । ଉତ୍ସବରେ ଅଭିଭାବକ ଓ ଅଭିଭାବିକା ମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉତ୍ସାହକୁ ବୃଦ୍ଧି କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଅଭିନବ ବିଜ୍ଞାନ ପ୍ରକଳ୍ପ ଓ ସୁକ୍ଷ୍ମ କଳାକୃତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତେ ଛାତ୍ରଛାତ୍ରୀଙ୍କର ଏଭଳି ପ୍ରୟାସର ଭୁରି ଭୁରି ପ୍ରଶଂସା କରିଥିଲେ । ବାସ୍ତବରେ ବିଜ୍ଞାନ ଓ କଳାର ଏହି ଅଦ୍ଭୁତ ଓ ଚମତ୍କାର ପ୍ରକଳ୍ପ ଗୁଡିକ ଆଜି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଯେଉଁଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି । ବାସ୍ତବରେ ଅନୁଷ୍ଠାନର ଏହି ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.