pakka

ବଲାଙ୍ଗିରଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ରାଲି କଚେରି ଛକରୁ ବାହାରି ଟାଉନ ହଲ୍‌ ପର୍ଯ୍ୟନ୍ତ ଆସିଥିଲା । ଏହି ରାଲିରେ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ସଇଁତଳା, ଡ଼. ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ସଂସ୍ଥାନ, ଜଗତବନ୍ଧୁ ବିଶ୍ଵଭାରତୀ ଶିକ୍ଷାନିକେତନ ସାଲେପାଲି, ଏସସିଡି ଟିଟିଲାଗଡ ଦୃଷ୍ଟିହୀନ, ବଧିର ବିଦ୍ୟାଳୟ, ଆଶ୍ରା ବଲାଙ୍ଗିର ଥେରେପି କେନ୍ଦ୍ର, ଲେପ୍ରୋସି ହୋମ, ବଲାଙ୍ଗିର, ଆଶ୍ରା ଥେରେପି କେନ୍ଦ୍ର, ଡେସିଲ, ଟିଟିଲାଗଡ, ଗ୍ରାମ ମଙ୍ଗଳ ପାଠାଗାରର ଶ୍ରବଣ ବାଧିତ ଶିକ୍ଷକ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ରାଲିକୁ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଏହି ଦିବସ ପାଳନ ଉପଲକ୍ଷେ ଟାଉନ ହଲ୍‌ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତ, ନିରତାର ସିଆରସି ସେଣ୍ଟର ବଲାଙ୍ଗିରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନର ତାତ୍ପର୍ଯ୍ୟ, ଭିନ୍ନକ୍ଷମଙ୍କ ଅଧିକାର ଓ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କର କିପରି ସର୍ବାଙ୍ଗୀନ ବିକାଶ କରାଯାଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ବଲାଙ୍ଗିର ଜିଲ୍ଲାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ରୂପରେଖ ଓ ଏହାଦ୍ୱାରା ଜିଲ୍ଲାର ହିତାଧିକାରୀମାନେ ପାଉଥିବା ସୁବିଧା ସୁଯୋଗ ତଥା ସଫଳତା ଉପରେ ପ୍ରାରମ୍ଭିକ ବକ୍ତ୍ୟବ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭାରେ ଅତିଥିମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ନିରତାର ସିଆରସି ସେଣ୍ଟର ବଲାଙ୍ଗିର ଦ୍ଵାରା ପ୍ରଦତ୍ତ ସହାୟକ ଉପକରଣ ବଣ୍ଟନ କରିଥିଲେ । ଏହି କ୍ରମରେ ୨ ଜଣଙ୍କୁ ରୋଲାଟୋର, ୨ ଜଣଙ୍କୁ ହ୍ଵିଲ ଚେୟାର, ୨ ଜଣଙ୍କୁ ବ୍ରେଲି କିଟ ଏବଂ ୬ ଜଣଙ୍କୁ ଅନ୍ୟାନ୍ୟ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ସେହିପରି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ୬ ଜଣ ଦମ୍ପତି, ପ୍ରତ୍ୟେକଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ଅତିଥିମାନେ ପ୍ରଦାନ କରିଥିଲେ । ଜିଲ୍ଲାର ୧୪ ଗୋଟି ବ୍ଲକ ଓ ୫ଟି ୟୁଏଲବିର ଜଣେ ଲେଖାଏଁ ଭିନ୍ନକ୍ଷମଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ମ୍ୟୁଜିକାଲ ଚେୟାର, ୧୦୦ ମିଟର ଦୌଡ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ସଇଁତଳା, ଡ଼. ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ସଂସ୍ଥାନ, ଜଗତବନ୍ଧୁ ବିଶ୍ଵଭାରତୀ ଶିକ୍ଷାନିକେତନ ସାଲେପାଲି, ଏସସିଡି ଟିଟିଲାଗଡ ଦୃଷ୍ଟିହୀନ, ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ, ଜରାନିବାସ ସାଲେପାଲିର ବରିଷ୍ଠ ନାଗରିକ ଏବଂ ତୃତୀୟ ଲିଙ୍ଗମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ତଥା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 4 =