jsm

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ

csstore
  • ଆମ ପାଇଁ ପ୍ରେରଣା ସାଜିଛନ୍ତି ଏମାନେ : ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଦିନ ଆସିଲେ ଆପଣାଛାଏଁ ମନେପଡ଼ନ୍ତି କିଛି ଭିନ୍ନକ୍ଷମ । ଯେଉଁମାନେ ନିଜକୁ ସମାଜ ଆଗରେ ହରାଇ ନଦେଇ ବରଂ ଭିନ୍ନ ପନ୍ଥା ଓ ଉପାୟରେ ନିଜକୁ ପ୍ରତିଷ୍ଠା କରି ନିଜ ନିଜର ପେଟକଥା ନିଜେ ବୁଝିବା ସହିତ ପରିବାରକୁ ବି ଦେଇପାରୁଛନ୍ତି ଆହାର । ସେହିଭଳି କିଛି ମାଇଲଖୁଣ୍ଟ ଆଜିର ପବିତ୍ର ଦିବସରେ ଆମମାନଙ୍କ ପାଇଁ ଆଦର୍ଶ ନିଶ୍ଚିତ ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଗତ ୨୦୧୬ ମସିହାରେ ସାରା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମ ଯୁବକ, ଯୁବତୀମାନେ ଏକତ୍ରୀତ ହୋଇଥିଲେ । ଲକ୍ଷ୍ୟ ଥିଲା ନିଜ ଗୋଡ଼ରେ ନିଜେ ଠିଆ ହେବେ, ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବେ । ସ୍ଥିର ହେଲା ଏକ ଭଜନ ସମାରୋହ ଦଳ ଗଠନ କରିବାକୁ । ଦଳ ଗଠନ ହେଲା, ପରେ ପରେ ମ.ରାମପୁରରେ ଭଜନ ସମାରୋହ କରିବା ଆରମ୍ଭ କରି ଧୀରେ ଧୀରେ କଳାହାଣ୍ଡି ଜିଲ୍ଲା ସମେତ ସାରା ଓଡ଼ିଶାରେ ଏମାନଙ୍କ ଭଜନ ପ୍ରତି ଦର୍ଶକୀୟ ଆଦୃତି ଲାଭ କଲା । ତେବେ ଲକଡ଼ାଉନ୍ ସମୟରେ ମଂଚ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ପରେ ଏମାନଙ୍କ ପେଟ ପାଟଣା ପାଇଁ ଚିନ୍ତାରେ ରହିଥିଲେ । କିନ୍ତୁ ନିଜ ମନକୁ ଦୃଢ କରି ଏମାନେ ବିକଳ୍ପ ଚିନ୍ତାକଲେ, ଫିନାଇଲ ତିଆରି ଶିଖିବା ସହିତ ଫିନାଇଲ ପ୍ରସ୍ତୁତ କଲେ । ଏହାକୁ ବିକ୍ରୀ କରିବା ପାଇଁ ମ.ରାମପୁର ବ୍ଲକ ଛକ ନିକଟରେ ଭୀମ ଭୋଇ ଷ୍ଟୋର ନାମକ ଏକ ଦୋକାନ କରି ଫିନାଇଲ ବିକ୍ରୀ ମଧ୍ୟ ଆରମ୍ଭ କଲେ । ଏବେ ଏହି ପ୍ରତିଷ୍ଠାନର କଳାକାର ମାନେ ଭଜନ ସମାରୋହ ଓ ମେଲୋଡ଼ି କାର୍ଯ୍ୟକ୍ରମ କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହି ପ୍ରତିଷ୍ଠାନର ସଭାପତି ଭାବରେ ଅଚ୍ୟୁତ ଭୋଇ, ଉପସଭାପତି ବିଭୂତି ମାଝୀ, ସଂପାଦିକା ଟୁନି ପଣ୍ଡା, କୋଷାଧ୍ୟକ୍ଷ ଜ୍ଞାନ ରଂଜନ କହଁର ରହିଥିବା ବେଳେ ଦୁର୍ୟ୍ୟୋଧନ ଧରୁଆ, ପ୍ରମୋଦ ସାହୁୁ, ରମେଶ ଭୋଇ, ପବିତ୍ର ମାଝୀ, ପ୍ରସନ୍ନ କୁମାର ରାଉତ, ଅଞ୍ଜନା ମାଝୀ, ଅମିତ ଦୁର୍ଗା, ରାଜେନ୍ଦ୍ର ରଣା, ରାଜେନ୍ଦ୍ର ଟୋଲଟିଆ ପ୍ରମୁଖ ସଦସ୍ୟ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ଆସି ଏଠାରେ ସାମିଲ ହୋଇଛନ୍ତି । ଏହି ପ୍ରତିଷ୍ଠାନ ତରଫରୁ ପ୍ରତିବର୍ଷ ବିଶ୍ୱ ଭିନ୍ନ କ୍ଷମ ଦିବସକୁ ନିଜେ ନିଜେ ସଫଳତାର ସହିତ ଆୟୋଜନ କରିଥାନ୍ତି ଏମାନେ ।

ଉପାନ୍ତ ଅଂଚଳରେ ଟିଉସନ୍ ଗିରିଶଙ୍କୁ ଦେଇଛି ରୋଜଗାର । କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ ଅନ୍ତର୍ଗତ ହରଡ଼ାପଡ଼ାରେ ରୁହନ୍ତି ଗିରିଶ ଚନ୍ଦ୍ର ଗଡ଼ତିଆ । ବୟସ ମାତ୍ର ୩୮ । ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ ଗିରିଶ ଯେଣତେଣ ପ୍ରକାରେ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିବାକୁ ସକ୍ଷମ ହୋଇଥିଲେ । ବାପାଙ୍କ ବିଶେଷ ସହାୟତା ନଥିବାରୁ ଅଧାରୁ ଗିରିଶଙ୍କ ପାଠପଢାରେ ଡ଼ୋରି ବନ୍ଧା ହେଲା । ତେବେ ପରେ ପରେ ସେ ଟିଉସନ ପଢାଇବାକୁ ନିଜର ବୃତ୍ତି ଭାବରେ ବାଛି ନେଲେ । ୨୦୧୦ ମସିହାରୁ ସେ ଟିଉସନ ପଢା ରୋଜଗାରରୁ ଗୋଟେ ପୁଅ, ଗୋଟେ ଝିଅ, ପତ୍ନୀ, ବିଧବା ମା’ଙ୍କ ପ୍ରତିପୋଷଣ କରନ୍ତି । ଝିଅ ଏବେ ସପ୍ତମ ଶ୍ରେଣୀ ଓ ପୁଅ ଏବେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ତିନୋଟି ଅଲଗା ଅଲଗା ସ୍ଥାନାରେ ତିରିଶରୁ ୩୫ ଜଣଙ୍କୁ ଅଲଗା ଅଲଗା ସମୟରେ ପାଠ ପଢାନ୍ତି ଗିରିଶ । ଏହା ବାଦ୍ ତାଙ୍କୁ ମିଳେ ଭିନ୍ନକ୍ଷମ ଭତ୍ତା ମାତ୍ର ୫୦୦ । ରାସନ କାର୍ଡ଼ ମଧ୍ୟ ଥିବା ବେଳେ ଜମିମାତ୍ର ତିରିଶ ଡ଼ିସମିଲ ରହିଛି । ଆଜି ଯାଏଁ ସରକାରୀ ଘର ମିଳିନାହିଁ । ଏବେ ଗିରିଶ ରହୁଥିବା ଘରର ଅବସ୍ଥା ମଧ୍ୟ ଶୋଚନୀୟ । ଗଚ୍ଛବର୍ଷାରେ ଘରର କାନ୍ଥ ପଡ଼ିଯିବା ପରେ ଜରିପାଲ ଦେଇ ମୁଣ୍ଡ ଗୁଞ୍ଜିଛନ୍ତି ଏହି ଭିନ୍ନକ୍ଷମ ଯୁବକ ଜଣଙ୍କ ନିଜ ପରିବାର ବର୍ଗଙ୍କୁ ଧରି । ଟିଉସନ ପଢାରୁ ଯାହା ରୋଜଗାର ହୁଏ ନିଜ ପେଟ ପାଇଁ କଷ୍ଟେମଷ୍ଟେ ହୋଇଯାଏ ସିନା ମେଡ଼ିକାଲ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଲେ ଧାର କିମ୍ବା ଋଣ କରିବାକୁ ପଡ଼େ ବୋଲି କହିଛନ୍ତି ଗିରିଶ । ଅନ୍ୟ କିଛି କରିବାକୁ ଯେହେତୁ କୌଣସି ପନ୍ଥା ନଥିବା ବେଳେ ବାଧ୍ୟ ହେଇ ନିଜ ପରିବାର ପ୍ରତିପୋଷଣ କରିବାକୁ ପଡ଼ୁଛି । ତେବେ ମୋହନଗିରି, ସିଂହପୁର ଭଳି ଉପାନ୍ତ ଇଲାକାରେ ଜଣେ ଭିନ୍ନକ୍ଷମ ଯୁବକ ନିଜ ପରିବାର ପ୍ରତିପୋଷଣ ପାଇଁ ଅଲଗା କିଛି ଉପାୟ ନଥିବା ବେଳେ ଟିଉସନକୁ ସାହାରା କରି ଭଲ ଭାବରେ ଚାଲି ପାରୁନଥିବା ବେଳେ ରାତିରେ ଟିଉସନ ସାରି କ୍ଷେତ ହିଡ଼ ବାଟ ଦେଇ ଘରକୁ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କରିବା ସତରେ ଏକ ଅନନ୍ୟ ଉଦାହରଣ ସୁସ୍ଥ ସବଳ ଯୁବ ବର୍ଗଙ୍କ ପାଇଁ ।

ସଂଜୟ ଡ଼ିଜିଟାଲ୍‌ : ଭିନ୍ନକ୍ଷମ ସଂଜୟଙ୍କ ହାତରେ କ୍ୟାମେରା । କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ସଦର ପଂଚାୟତର ତଳ ସାଗରପଡ଼ାରେ ରହନ୍ତି ସଂଜୟ ମହାଖୁଡ଼ । ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିବା ସଂଜୟ ଜନ୍ମରୁ କଥା କହି ପାରନ୍ତି ନି କି ଶୁଣି ପାରନ୍ତି ନାହିଁ । ତଥାପି ପରିବାର ଲୋକେ ତାଙ୍କୁ ଟିଟାଲାଗଡ଼ଠାରେ ପାଠ ପଢାଇଥିଲେ । ସେଠାରେ ସେ ମାଟ୍ରିକ ଶିକ୍ଷା ଶେଷ ପରେ ନିଜେ କିଛି କରିବା ଆଶା ନେଇ ଉଦ୍ୟମ ତଥା ଚିନ୍ତା ଜାରି ରଖିଥିଲେ । ପରିବାରର ଏକମାତ୍ର ପୁତ୍ର ସଂଜୟଙ୍କ ରୁଚି ଭିିଡ଼ିଓ ଓ ଫଟୋଗ୍ରାଫି ଉପରେ ଦିନକୁ ଦିନ ବଢିବାକୁ ଲାଗିଲା । ଅନ୍ୟଜଣଙ୍କ ସହଯୋଗୀ ଭାବରେ କାମ କରି ସେ କାମ ଶିଖିବା ସହିତ ସେଠାରୁ ମିଳୁଥିବା ଟଙ୍କା ଠୁଳ କରି ସେ ୨୦୧୯ ମସିହାରେ ନିଜ ପାଇଁ କ୍ୟାମେରା, ଡ଼୍ରୋନ୍ କ୍ୟାମେରା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ କରିଥିଲେ । ବିବାହ, ବ୍ରତ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବେ ସଂଜୟଙ୍କ ଉପସ୍ଥିତି ସହିତ ନିଜ ପ୍ରତିଭାର ପରିଚୟ ଦେଖିବାକୁ ମିଳେ । ଠାରନାର ସେ ସବୁ ବୁଝିପାରି ଅତି ସୁନ୍ଦର ଭାବରେ ଫଟୋ ଓ ଭିଡ଼ିଓ ସବୁ ଉତ୍ତୋଳନ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ଏବଂ ୨୦୧୮ ମସିହାରେ ବାହା ହେବା ସହିତ ନିଜର ପତ୍ନୀ, ଦୁଇଝିଅ ଓ ବିଧବା ମା’ଙ୍କ ଭରଣ ପୋଷଣ କରି ଅନ୍ୟ ଯୁବକମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

yuvodaya
Leave A Reply

Your email address will not be published.