ଛତାମଖନା ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ କାମ ଦେଖିଲେ ନରସିଂହ

  • ପ୍ରକଳ୍ପଟି ଲୋକଙ୍କ ଆର୍ଥିକ ବିକାଶରେ ସହାୟତା କରିବ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଛତାମଖନା ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାମର ତଦାରଖ କରିଛନ୍ତି । ଗତକାଲି ଅପରାହ୍ନ ଘ.୪.୩୦ମି. ସମୟରେ ପ୍ରକଳ୍ପ କ୍ଷେତ୍ରରେ ପହଞ୍ଚି ସେଠାରେ ଆରମ୍ଭ ହୋଇଥିବା ବ୍ୟାରେଜ କାମ ସବିଶେଷ ତତ୍ତ୍ୱ ସେଠାରେ ଉପସ୍ଥିତ ଥିବା ପ୍ରକଳ୍ପ ମ୍ୟାନେଜର ସୁଶିଲ କୁମାର ନାୟକଙ୍କ ଠୁ ପଚାରି ବୁଝିଥିଲେ । ୧୫୪ କୋଟି ଟଙ୍କାର ବ୍ୟୟ ଅଟକଳ ନିର୍ମାଣଧିନ ଏହି ଅନ୍ତଃନଦୀ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଏ ଅଂଚଳର ଲୋକଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ହେବ । ଏହା ସମ୍ପୂର୍ଣ୍ଣ ହେଲେ ଏ ଅଞ୍ଚଳର ମାଟିର ଆଦ୍ରତା ବଢିବା ସହିତ ଏହାର ଉର୍ବରତା ଯୋଗୁଁ ଚାଷୀ ତାର ଅମଳର ପରିମାଣ ବଢାଇ ପାରିବ । ବ୍ୟାରେଜ ନିର୍ମାଣ ପରେ ବ୍ୟାରେଜର ଉପର ମୁଣ୍ଡରେ ୩ କିମିରୁ ଅଧିକ ନଦୀ ଶଯ୍ୟାରେ ପାଣି ଜମି ରହିବ । ଯାହା ଫଳରେ ଚାଷୀ ଚାଷ କରିବା ପାଇଁ ଆଉ ବିଶେଷ ଅସୁବିଧାର ସମ୍ମୁଖିନ ହେବ ନାହିଁ । ଜମିର ଆଦ୍ରତା ଓ ଉର୍ବରତା ବଢିବା ଫଳରେ ପିଇବା ପାଣି ସମସ୍ୟା ଦୂର ହେବ, ଚାଷର ଉନ୍ନତି ହେବ ଏବଂ ଅର୍ଥନୀତିରେ ଏହା ଅନେକ ପରିମାଣରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଭାଗୀୟ ସ୍ତରରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ଓ ସମାପନକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାରୁ ଏହି ପ୍ରକଳ୍ପ କାମ ୨୦୨୪ ମସିହା ମଧ୍ୟରେ ସମାପନ ହୋଇ ଲୋକାର୍ପିତ ହେବାର ଆଶା କରାଯାଏ । ଗତକାଲି ବିଧାୟକ ଶ୍ରୀ ମିଶ୍ର ପ୍ରକଳ୍ପ କ୍ଷେତ୍ରକୁ ଗସ୍ତ ସମୟରେ ଏହି ପ୍ରକଳ୍ପ କାମର ମାନ, ପ୍ରକଳ୍ପ ଡିଜାଇନ, ଜଳ ଧାରଣ କ୍ଷମତା ତଥା ସମ୍ପୂର୍ଣ୍ଣ ହେବା ସମୟସୀମାକୁ ନେଇ ସେଠାରେ ଉପସ୍ଥିତ ଥିବା ପ୍ରକଳ୍ପ ମ୍ୟାନେଜର ସୁଶିଲ କୁମାର ନାୟକଙ୍କ ଠାରୁ ପଚାରି ବୁଝିଥିଲେ ଏବଂ ଏହାର ଗୁଣାବତ୍ତା ଏବଂ ନିର୍ମାଣରେ ଯେପରି କୌଣସି ପ୍ରକାର ସାଲିସ ନ ହେବ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରକଳ୍ପ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ସହ ଏହି ପ୍ରକଳ୍ପ ଆଖପାଖ ଅଂଚଳର ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.