କର୍ପୋରେଟ ସ୍ଵାର୍ଥରେ ଶ୍ରମ ଆଇନ ସଂଶୋଧନ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରୟ ବିରୁଦ୍ଧରେ ସର୍ବବ୍ୟାପୀ ପ୍ରତିବାଦ ଓ ପ୍ରତିରୋଧ ପାଇଁ ତ୍ରୟୋଦଶ ଏଆଇଟିୟୁସି ରାଜ୍ୟ ସମ୍ମିଳନୀର ସଂକଳ୍ପ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟନ ସହ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଭାତୃ ପ୍ରତୀମ ସଂଗଠନ ପକ୍ଷରୁ ସମ୍ମିଳନୀକୁ ଶୁଭେଚ୍ଛା ଓ ସର୍ବବ୍ୟାପୀ ଶ୍ରମିକ ଆନ୍ଦୋଳନ ପାଇଁ ସଂକଳ୍ପ ମଧ୍ୟ ନିଆଯାଇଛି । ଏହି ସମ୍ମିଳନୀକୁ ଏଆଇଟିୟୁସିର ସର୍ବ ଭାରତୀୟ ସଭାପତି ଉଦ୍‌ଘାଟନ କରିବା ସହ ଏହି ସମ୍ମିଳନୀର ସ୍ମରଣିକା ଉନ୍ମୋଚନ କରିଥିଲେ । ଏହି ସମ୍ମିଳନୀକୁ ଆଇଏନଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ହିନ୍ଦ୍ ମଜଦୂର ସଭା ରାଜ୍ୟ ନେତା ଶଶଧର ନାୟକ, ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଏଆଇସିସିଟିୟୁର ରାଜ୍ୟ ସଭାପତି ନିତ୍ୟ କିଶୋର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ପ୍ରତିନିଧି ଅଧିବେଶନ ଅଶୋକ କୁମାର ଦାଶ, ପ୍ରଶାନ୍ତ ପାଟ୍ଟଯୋଶୀ, ଏନ୍ ନାରାୟଣ ରେଡୀ, ହରପ୍ରିୟା ସ୍ଵାଇଁ ଏବଂ ମାତିଲଦା କୁଲ୍ଲୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବେଳେ ଜାତୀୟ ସମ୍ପାଦକ ବିଦ୍ୟା ସାଗର ଗିରି ଉଦ୍‌ଘାଟନ କରିଥିଲେ । ଗତ ୭ ବର୍ଷରେ ମୃତ୍ୟୁବରଣ କରିଥିବା ଏଆଇଟିୟୁସି ନେତା, ବାମପନ୍ଥୀ ନେତା, ଆମ ରାଜ୍ୟ, ଆମ ଦେଶ ଓ ବିଶ୍ଵର ବିଭିନ୍ନ ଜନନେତା, କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା, ପୁଲୱାମା ମୃତ ସୈନିକ, ହାଥ୍ରାସ୍ ଏବଂ ଉନ୍ନାଓ ହତ୍ୟା ଶିକାର ଯୁବତୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପ୍ରତିନିଧି ଅଧିବେଶନରେ ଭାତୃ ପ୍ରତିମ ସଂଗଠନ ଏଆଇଏସ୍ଏଫ୍ ପକ୍ଷରୁ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ଏଆଇଓ୍ଵାଇଏଫ୍ ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ଉତ୍କଳ ମହିଳା ସମିତି ପକ୍ଷରୁ ଚିନ୍ମୟୀ ସାହାଣୀ, ଭାରତୀୟ ଖେତ ମଜଦୁର ୟୁନିୟନ ପକ୍ଷରୁ ରଘୁ ନାଥ ଗୌଡ଼ ପ୍ରମୁଖ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ । ପ୍ରତିନିଧି ଅଧିବେଶନରେ ଗତ ୭ ବର୍ଷର କାର୍ଯ୍ୟ ବିବରଣୀ, ରାଜନୈତିକ ଓ ସାଂଗଠନିକ ବିବରଣୀ ଉପସ୍ଥାପନ କରିଥିଲେ ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା । ଏହି ବିବରଣୀ ଉପରେ ଆଲୋଚନାରେ ତଥା ସର୍ବ ଭାରତୀୟ ନେତୃତ୍ଵଙ୍କ ଆହ୍ଵାନ ଭିତ୍ତିରେ କେନ୍ଦ୍ର ସରକାର କର୍ପୋରେଟ ସ୍ଵାର୍ଥରେ ଶ୍ରମ ଆଇନ ସଂଶୋଧନ କରିବା, କ୍ରୀତଦାସ ପ୍ରଥାର ପୁନଃ ପ୍ରଚଳନ ପାଇଁ ଶ୍ରମକୋଡ ପ୍ରଣୟନ ବିରୋଧରେ ଭୟଙ୍କର ପ୍ରତିକ୍ରିୟା ପ୍ରକାଶିତ ହୋଇଛି । ଶାସକ ବର୍ଗଙ୍କୁ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ନିର୍ବାଚନୀ ପାଣ୍ଠିକୁ ସହାୟତା ଦେଉଥିବା ମୁଷ୍ଟିମେୟ କମ୍ପାନୀ ସ୍ଵାର୍ଥ ରକ୍ଷା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରୟ କରାଯାଉଛି । ଏହା ବିରୁଦ୍ଧରେ ସର୍ବବ୍ୟାପୀ ପ୍ରତିବାଦ ଓ ପ୍ରତିରୋଧ ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ସମଗ୍ର ଦେଶରେ ୨କୋଟିରୁ ଅଧିକ ସ୍କିମ ଓ୍ଵାର୍କରଙ୍କୁ ସରକାର ସର୍ବନିମ୍ନ ମଜୁରୀ ନଦେଇ ଶୋଷଣ କରୁଛନ୍ତି । ଆଇଏଲସି ସୁପାରିଶ ଅନୁସାରେ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ୟତା ଦେବା ଦାବୀରେ ଏହି ସର୍ବବ୍ୟାପୀ ଆନ୍ଦୋଳନକୁ ରୂପ ଦେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ଦେଶର ପ୍ରଧାନମନ୍ତ୍ରୀ ବିଶାଖାପାଟଣା ଗସ୍ତ ପୂର୍ବରୁ ଏଆଇଟିୟୁସି ସଂଯୁକ୍ତ ଷ୍ଟିଲ ମଜଦୁର ଫେଡେରେସନର ସାଧାରଣ ସମ୍ପାଦକ ଡି ଆଦିନାରାୟଣାଙ୍କ ସମେତ ୬୦ରୁ ଅଧିକ ଶ୍ରମିକ ନେତାଙ୍କୁ ଗିରଫଦାରୀର ଦୃଢ଼ ନିନ୍ଦା କରାଯାଇଥିଲା । ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ବିକ୍ରୟ କରିବା ଘଟଣାକୁ ପ୍ରତିରୋଧ କରିଆସିଥିବା ଏଆଇଟିୟୁସି ଓ ଶ୍ରମିକ ଶ୍ରେଣୀ ଉପରେ ମୋଦୀ ସରକାରଙ୍କ ଆକ୍ରମଣର ପ୍ରତିବାଦ ଆନ୍ଦୋଳନକୁ ଏଆଇଟିୟୁସିର ତ୍ରୟୋଦଶ ଓଡିଶା ରାଜ୍ୟ ସମ୍ମିଳନୀ ପୂର୍ଣ୍ଣ ସମର୍ଥନର ସର୍ବ ସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ଏହି ସମ୍ମିଳନୀ ୧୩ ନଭେମ୍ଵର ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ବୋଲି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପଶୁପତି ନାଥ ଚାଟ୍ଟାର୍ଜୀ ଏବଂ ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!