ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ୱାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୧୩ ତାରିଖ ଦିନ ଦିବା ୯ଟା ୩୦ମିନିଟରେ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହେବ । ଏନେଇ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଆୟୋଜକ କୁମାର ବେହେରା ଏ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଏହି ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲାର ୪ଟି ସ୍ଥାନ ଯଥା ସେକ୍ଟର ୬ ସରସ୍ୱତୀ ଶିଶୁ ମନ୍ଦିର, କୁଆରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, କଚାରୁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବେଦବ୍ୟାସ ସ୍ଥିତ ବେଦବ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରଥମରୁ ପଞ୍ଚମ ଶ୍ରେଣୀ କନିଷ୍ଠ ବିଭାଗକୁ ‘ସକାଳର ପ୍ରାକୃତିକ ଦୃଶ୍ୟ ‘ ଓ ବରିଷ୍ଠ ବିଭାଗ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ସଂଧ୍ୟା ବେଳର ପ୍ରାକୃତିକ ଦୃଶ୍ୟ’ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ପ୍ରତିଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରାଙ୍କ ବ୍ୟତୀତ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ, ସହକାରୀ ଆଚାର୍ଯ୍ୟ ରାଜେନ୍ଦ୍ର ମହାରଣା, ଗୁରୁମା ମମତା ସାମଲ, ମମତା ଜେନା ଓ ଗୌରୀ ନାଗ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।