୨୮ରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୫ତମ ସ୍ୱନକ୍ଷତ୍ର ଦିବସ ପାଳନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପବିତ୍ର ଦୀପାବଳୀ ଅବସରରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଏକ ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶାର ସ୍ୱନାମଧନ୍ୟ କବି, ସାହିତ୍ୟିକ, ଲେଖକ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୫ତମ ସ୍ୱନକ୍ଷତ୍ର ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୨୮ ତାରିଖ ଅପରାହ୍ନ ସମୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସମ୍ମୁଖ ରାଜସ୍ୱ ଡ଼ାକବଙ୍ଗଳା ସମ୍ମିଳନୀ କକ୍ଷରେ ଉକ୍ତ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳନ କରାଯିବ । ଏହି ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବି ଶ୍ରୀ ତ୍ରିପାଠଙ୍କ ଜୀବନୀ ଓ କୃତି ସମ୍ପର୍କିତ “କୋକିଳ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ’ ଅଭିନନ୍ଦନିକା ଉନ୍ମୋଚନ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ଭେଷଜବିତ୍‌ ପ୍ରପେସର ଡ଼ା. ପି.ସି. ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡ଼ମ୍ବରୁଧର ସାହୁ, ଉପସଭାପତି ରାମକୃଷ୍ଣ ପାତ୍ର, ନବୀନ ପ୍ରକାଶିକା ମଞ୍ଜୁ ରଥ, ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୁଶାନ୍ତ କର, ବନ୍ଦନା ମହାପାତ୍ର, ବି. ସତ୍ୟମ୍‌ ଆଚାରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମର ସଫଳ ନେଇ ସୁଚିନ୍ତିତ ମତାମତ ଦେଇଥିଲେ ।

Leave A Reply

Your email address will not be published.