jayashree

ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି । ସୂଚନା ଅନୁସାରେ, ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ମୁଖ୍ୟ ତୋରଣ ୪୫ ଫୁଟ୍‌ ଉଚ୍ଚତା ଓ ୪୮ ଫୁଟ୍‌ ଚଉଡ଼ାର ହେବ । ୪୦ଜଣ କାରୀଗର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ଭୁବନେଶ୍ୱରୀ ଦେବୀଙ୍କ ସକାଶେ ୬ କେଜି ରୂପାରେ ଛତ୍ର ତିଆରି କରାଯାଉଛି । ଦେବୀଙ୍କ ରୂପା ମୁକୁଟ ଶୀର୍ଷରେ ଏହି ଛତ୍ର ଲାଗିବ । ଚଳିତବର୍ଷ କମିଟି ୨୫ ଲକ୍ଷ ବ୍ୟୟ ଅଟକଳ ସ୍ଥିର କରିଛି । ସାଢ଼େ ୫ ଲକ୍ଷ ତୋରଣ, ୪ ଲକ୍ଷ ରୂପା ଛତ୍ର, ୫୦ହଜାର ମୂର୍ତ୍ତି, ୬ ଲକ୍ଷ ଆଲୋକ ସାଜସଜ୍ଜା ଲାଗି ଖର୍ଚ୍ଚ କରାଯିବ ବୋଲି ସଭାପତି ପ୍ରଦୀପ ପାଢ଼ୀ ସୂଚନା ଦେଇଛନ୍ତି । ପରମ୍ପରା ଅନୁସାରେ ଷଷ୍ଠୀ ତିଥିରେ କଳସ ଯାତ୍ରା ସହ ପୂଜାରମ୍ଭ ହେବ । ଅକ୍ଟୋବର ୬ରେ ଘଟ ବିସର୍ଜନ କରାଯିବ । ବିସର୍ଜନ ଶୋଭାଯାତ୍ରାରେ କଣ୍ଢେଇ ନାଚ, ଦେବୀଦେବ ପରଭା ନାଚ, ଡିଜେ ଓ ଦୁଲଦୁଲି ବାଜା ସାମିଲ ହେବ । କମିଟି ଉପସଭାପତି ସଞ୍ଜୟ ସାହୁ, ସମ୍ପାଦକ ଶୁଭମ ମହାପାତ୍ର, ଲଟେରୀ ଅଧ୍ୟକ୍ଷ ରମାକାନ୍ତ ବେରିହା ଓ କୋଷାଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ୫୦ଜଣ ସଭ୍ୟ ଦୁର୍ଗାପୂଜା ପ୍ରସ୍ତୁତିରେ ଲାଗିଛନ୍ତି ବୋଲି ସଭାପତି କହିଛନ୍ତି । କୋଷାଧ୍ୟକ୍ଷ ସୂଚିତ କରିଛନ୍ତି, ଗୋବିନ୍ଦତୋଳା ବ୍ରିଜରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜ୍ଜିତ କରାଯିବ । ୫ଟି ସୁଉଚ୍ଚ ତୋରଣ, ୪୨ଟି ପାର୍ଶ୍ୱ ତୋରଣ ଖଞ୍ଜାଯିବ । ଆଲୋକ ସାଜସଜ୍ଜାରେ ବିଭିନ୍ନ ସଚେତନାତ୍ମକ ବାର୍ତ୍ତା ଦିଆଯିବାକୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.