jayashree

ହନିଟ୍ରାପ୍‌ର ନୂଆ ରୂପ : ବିଶ୍ୱାମିତ୍ରଙ୍କ ମେନକା ପ୍ରୟୋଗ, ଘରମାଲିକଙ୍କୁ ବ୍ଲାକମେଲ କରି ତିନି ଲକ୍ଷ ଲୁଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନର୍ତ୍ତକୀ ମେନକାଙ୍କୁ ପ୍ରୟୋଗ କରି ଦେବ ଗଣ ଋଶି ବିଶ୍ୱାମିତ୍ରଙ୍କ ତପସ୍ୟା ଭଙ୍ଗ କରିବାରେ ସଫଳ ହୋଇଥିଲେ । ଏହାକୁ ସେ କାଳର ପ୍ରଥମ ହାନିଟ୍ରାପ ଘଟଣା କୁହାଯାଇ ପାରେ । କିନ୍ତୁ ଏବେ କଳି କାଳରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । କଳି କାଳରେ ବଲାଙ୍ଗିରଠାରେ ଜଣେ ବିଶ୍ୱାମିତ୍ର ନିଶା ଦେବା ପରେ ଜଣେ ମେନକାର ପ୍ରୟୋଗ କରି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ମାନ ହାନୀ କରିବା ସହ ୩ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରକୁ ବିଶ୍ୱାମିତ୍ର ଓ ବାନ୍ଧବି ଲଳିତା ଘରଭଡାରେ ରହିବାକୁ ଆସି ଘର ମାଲିକ ଶ୍ୟାମସୁନ୍ଦର ମିଶ୍ରଙ୍କ ସହ ଚିହ୍ନା ପରିଚୟ ବଢ଼ାଇଥିଲେ । ଗତ ଅଗଷ୍ଟ ମାସ ୯ ତାରିଖ ଦିନ ସଂଧ୍ୟା ସମୟରେ ଘର ମାଲିକ ଶ୍ୟାମସୁନ୍ଦର ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ କିଛି ନିଶା ଦ୍ରବ୍ୟ ମିଶା ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ମାଲିକ ଅଚେତ ହେବାର ସୁଯୋଗ ନେଇ, ବାନ୍ଧବି ଲଳିତାଙ୍କ ସହ ମାଲିକଙ୍କ କିଛି ଅଶ୍ଲୀଳ ଭିଡ଼ିଓ ତିଆରି କରିବା ସହ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ । ବିଗତ କିଛି ଦିନ ମଧ୍ୟରେ ମାଲିକଙ୍କ ଠାରୁ ତିନି କିସ୍ତିରେ ୩ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ଅଭିଯୁକ୍ତମାନେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିବା ଘର ମାଲିକ ଶ୍ୟାମସୁନ୍ଦର କହିଛନ୍ତି । ଅଭିଯୁକ୍ତମାନଙ୍କୁ ୩ ଲକ୍ଷ ଟଙ୍କା ଦେଇ ସାରିବା ପରେ ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଘରମାଲିକ ଶ୍ରୀ ମିଶ୍ର ହଠାତ୍‌ ନିଜ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ । ତାଙ୍କ ନିଟକ ସଂପର୍କୀୟମାନେ ତାଙ୍କୁ ଠାବ କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ମାମଲା ଥାନାରେ ପହଂଚିବା ପରେ ବଲାଙ୍ଗିର ପୋଲିସ ଅଭିଯୁକ୍ତ ଲଳିତା ବାରିକ ଓ ବିଶାମିତ୍ର ନାୟକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ନାଁ ଓ କାର୍ଯ୍ୟକଳାପ ଶୁଣିବା ପରେ ସ୍ଥାନୀୟ ଲୋକେ ଏହି ଘଟଣାକୁ କଳି ଯୁଗର ବିଶ୍ଵାମିତ୍ରଙ୍କ ମେନକା ପ୍ରୟୋଗ ବୋଲି ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.