csstore

ଆଠ ବର୍ଷ ପରେ ଘରକୁ ଫେରିଲେ ଜିତେନ୍ଦ୍ର : ପରିବାର ଓ ଗାଁରେ ଖେଳିଯାଇଛି ଖୁସିର ଲହରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳଙ୍କ ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ ବାପା ମାଆ ଫେରି ପାଇଥିବାରୁ ଆଜି ଗାଁରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି । ଗାଁର ଜଣେ ସମାଜସେବୀ ହଜିଲା ପୁଅକୁ ଧରି ଗାଁରେ ପହଞ୍ଚିବା ପରେ ସେହି ୨ ଜଣଙ୍କୁ ଫୁଲମାଳ ପିନ୍ଧାଇ ଗାଁ ଦାଣ୍ଡରେ ସ୍ୱାଗତ କରିଥିଲେ । ହଜିଲା ପୁଅର ବାପାଙ୍କ କହିବା ଅନୁଯାୟୀ ୨୦୧୪ ମସିହାରେ ଜିତେନ୍ଦ୍ର ନିଜ ଗାଁ ଟଙ୍କପାଣିରୁ ଲାଠୋର ବଜାରକୁ ଯାଇ ଆଉ ଫେରି ନଥିଲେ । ପରିବାରର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ପୁଅକୁ ପାଇନଥିଲେ । ପୁଅ କେମିତି ଅଛି କ’ଣ କରୁଛି ଓ କେଉଁଠି ଅଛି ସେହି ଚିନ୍ତାରୁ ମୁକୁଳି ପାରୁନଥିଲେ ପରିବାର ଲୋକେ । ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଭୁବନେଶ୍ୱରର ସମାଜସେବୀ ସୁନୀଲ ଦାସ । ପୁନେ ସହରରେ ଏକ ବସ୍‌ ଷ୍ଟାଣ୍ଡରେ ବୁଲୁଥିବା ବେଳେ ସେହି ଯୁବକ ଓଡ଼ିଶାର ବୋଲି ଜାଣିପାରି ସେଠାରୁ ଯୁବକଙ୍କୁ ଆଣି ଭୁବନେଶ୍ୱରରେ ଥିବା ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଚିକିତ୍ସା କରି ଶେଷରେ ହଜି ଯାଇଥିବା ଜିତେନ୍ଦ୍ରଙ୍କୁ ଗାଡ଼ିରେ ନେଇ ସିଧା ଘରେ ପହଞ୍ଚାଇଥିଲେ । ପୁଅ ଫେରି ପାଇବାରୁ ଏବେ ଟଙ୍କପାଣି ଗାଁରେ ଖୁସିର ମହଲ ଦେଖାଦେଇଛି । ତେବେ ଏତେ ଦିନ ଧରି ସେ ପୁନେରେ କ’ଣ କରୁଥିଲେ ଓ କେଉଁଠି ରହୁଥିଲେ ତାହା ଜଣାପଡ଼ିନାହିଁ ।

jayashree
Leave A Reply

Your email address will not be published.