ସୋନପୁର ସହରର ପ୍ରମୁଖ ଛକ ବ୍ଲକ ଛକଠାରେ ଟ୍ରାଫିକ ସିଗ୍ନାଲ ଲାଇଟର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି । ଜନସାଧାରଣଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡି ଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି । ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ସହରର ପ୍ରମୁଖ ଛକ ବ୍ଲକ ଛକଠାରେ ବ୍ୟବସ୍ଥାପିତ ଟ୍ରାଫିକ ସିଗ୍ନାଲ ଲାଇଟ ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିଛନ୍ତି ଓଡିଶା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ । ଏହି ବ୍ୟବସ୍ଥାର ସୁପରିଚାଳନା ଫଳରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ହେବା ସହ ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା କରାଯାଇପାରିବ ବୋଲି ଉଦ୍‌ଘାଟନ ଅବସରରେ ଅତିଥିବୃନ୍ଦ ମତବ୍ୟକ୍ତ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧୀକ୍ଷକ, ଅମରେଶ ପଣ୍ଡା, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଇଂ ଦାମୋଦର କୈବର୍ତ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ପ୍ରମୁଖଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସୋନପୁର ପୌରପାଳିକାର ଜନପ୍ରତିନିଧି ତଥା ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ପ୍ରଭୃତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.