ଟ୍ରାକ୍ଟର ଓଲଟି ୨ ମୃତ, ୨ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୪ ଜଣ ମହିଳା ପାଖ ଗାଁ ପୁରୁଣିଆକୁ ବିଲ କାମ କରିବାକୁ ପାଦରେ ଚାଲିଚାଲି ଯାଉଥିଲେ । ସେହି ସମୟରେ ସେହି ଗ୍ରାମର ଏକ ଟ୍ରାକ୍ଟରରେ (ଓଡି୧୧ଡବ୍ଲୁ-୧୧୫୯) ବସି କିଛି ଲୋକ ପୁରୁଣିଆକୁ ହଳ କରିବାକୁ ଯାଉଥିଲେ । ତେବେ ଆଉ ଅଳ୍ପ ବାଟ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୁରୁଣିଆ କେନାଲ ନିକଟରେ ଓଲଟି ପଡ଼ିଥିଲା । ଟ୍ରାକ୍ଟର ତଳେ ଚାପିହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୃତକମାନେ ହେଲେ ଦଲକି ଗ୍ରାମର ଘନଶ୍ୟାମ ପାତ୍ରଙ୍କ ସ୍ତ୍ରୀ ମନ୍ଦଦରୀ ପାତ୍ର(୫୦) ଓ ବୀରେନ୍ଦ୍ର ହାଁସଦାଙ୍କ ଝିଅ ମିତାରାଣୀ ହାଁସଦା(୨୨) ଏବଂ ଗୁରୁତରମାନେ ହେଲେ ସେହି ଗ୍ରାମର ସୋମବାରୀ ମାଝୀ (୪୫) ଓ ବୁଦାଇ ମାଝୀ(୫୦) । ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି । ବାଦାମପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.