ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର ‘ପିସିଆର୍‌’ ପରି ତ୍ୱରିତ ସେବା ଆରମ୍ଭ

ଭୁବନେଶ୍ୱର/କଟକ : ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର ‘ପିସିଆର୍‌’ ପରି ତ୍ୱରିତ ସେବା ଆରମ୍ଭ ହେବ । ଜନଗହଳିପୂର୍ଣ୍ଣ ଏବଂ ଅଣଓସାରିଆ ଜାଗାରେ ଅଗ୍ନିକାଣ୍ଡର ମୁକାବିଲା ଲାଗି ଘଟଣାସ୍ଥଳରେ ବଡ଼ ଦମକଳ ଗାଡ଼ି ପହଞ୍ଚି ପାରୁ ନଥିବାରୁ କ୍ୱିକ୍‌ ରେସ୍‌ପନ୍ସ ୟୁନିଟ୍‌ ଭେଇକିଲ୍‌ ବା ଭ୍ୟାନ୍‌ ଭଳି ଗାଡ଼ି ବ୍ୟବସ୍ଥା କରାଯିବ । ଯାହା ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସହାୟକ ହୋଇପାରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ଫାୟାର ସର୍ଭିସ କୁଇକ୍‌ ରେସ୍‌ପନସ୍‌ ୟୁନିଟ୍‌ ଭେଇକିଲ୍‌ କଟକ ଓ ଭୁବନେଶ୍ୱରରୁ ଆରମ୍ଭ ହେବ । ଦମକଳ ବିଭାଗର ଏହି ୨୦୭ ଟାଇପ୍‌ର ୪ ଚକିଆ ହାଲୁକା ଯାନ କଟକ ସହରର ଛତ୍ରବଜାର ସମେତ ଭୁବନେଶ୍ୱରର ୧, ୨ ଓ ୪ ନମ୍ବର ହାଟ ଆଦି କେତେକ ପ୍ରମୁଖ ଅଞ୍ଚଳରେ ଉପଲବ୍ଧ ହେବ । ପୁଲିସ ପେଟ୍ରୋଲିଂ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଉକ୍ତ ନିଆଁ ଲିଭା ଗାଡ଼ି ଉପଲବ୍ଧ ହେବ । ଏହି ହାଲୁକା ଚାରି ଚକିଆ ଯାନରେ ଫାୟାର ଏକ୍‌ଷ୍ଟିଙ୍ଗୁଇସର, ଫାୟାର ବଲ୍‌ ସମେତ ପାଣିର ସୁବିଧା ରହିଛି । ଗଳି କନ୍ଦିରେ ନିଆଁ ଲାଗିବା ଖବର ପାଇବା ମାତ୍ରେ ଏହି ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବ । ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ୫ଟି ଲେଖାଏଁ ପିସିଆର୍‌ ୟୁନିଟ୍‌ ବନ୍ଦୋବସ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ସହରରେ ଏଭଳି ଗାଡ଼ିର ବ୍ୟବସ୍ଥା କରାଯିବ । ଦେଶରେ ମୁମ୍ବାଇ ପରେ କଟକ ଓ ଭୁବନେଶ୍ୱରରେ ଫାୟାର ସର୍ଭିସ୍‌ ଦ୍ୱାରା ପିସିଆର୍‌ ପରି ସେବା ଆରମ୍ଭ ହେବାକୁ ଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.