
ବୌଦ୍ଧ, (ମମତା ମହାକୁର) : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା- ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଦୁଇଟି ବର୍ଗରେ (କନିଷ୍ଠ /ବରିଷ୍ଠ) ସ୍ଥାନୀୟ ଟାଉନ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଉଦ୍ଘାଟନ କରିଥିଲେ । ତତ୍ ସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼. ଇଂ.ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୪୬ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିଲେ । ତତ୍ ସହିତ ଗାଇଡ଼ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗୀତାର ବିଚାରକ ଭାବରେ ଡ଼. ଇଂ.ସଞ୍ଜୟ କୁମାର ପଣ୍ଡା, ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ନୀଳଲୋହିତ ମହାପାତ୍ର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଣ୍ଢିମାଳର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।