୫୭ ଲକ୍ଷ ଟଙ୍କା ଭର୍ତ୍ତି ଭେନ୍‌କୁ ଧରି ଡ୍ରାଇଭର ଫେରାର

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଟିଏମ୍‌ କାଉଣ୍ଟରରେ ଡିପୋଜିଟ ପାଇଁ ଯାଉଥିବା ୫୭ ଲକ୍ଷ ୧୨ହଜାର ନଗଦ ଟଙ୍କା ଧରି ଭ୍ୟାନ୍‌ ସହ ଡ୍ରାଇଭର ଫେରାର ହୋଇଯାଇଛି । ସୂଚନାନୁଯାୟୀ ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ନେଇ ସିନାପାଲି ଓ ବୋଡେନ ଏଟିଏମ୍‌ କାଉଣ୍ଟରରେ ଡିପୋଜିଟ କରିବାର ଥିଲା । ହେଲେ ସିକ୍ୟୁରିଟି ଗାର୍ଡ ଏବଂ ଏଟିଏମ୍‌ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଡ୍ରାଇଭର ଭ୍ୟାନ୍‌ ସହ ଟଙ୍କା ଧରି ଚମ୍ପଟ ମାରିଛି । ଖବର ପାଇ ଖଡ଼ିଆଳ ପୋଲିସ ସହରର ବିଭିନ୍ନ ପଥକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ କରିବା ପରେ ନୂଆପଡା ଜିଲ୍ଲା ସୀମାନ୍ତ ବଲାଙ୍ଗିର ଜିଲ୍ଲା ଭରୁଆକାନି ଜଙ୍ଗଲ ନିକଟରେ ଏଟିଏମ୍‌ ଭ୍ୟାନକୁ ଜବତ କରିଛି ପୋଲିସ । ହେଲେ ଡ୍ରାଇଭର ଏବଂ ଟଙ୍କାର କୌଣସି ଖବର ମିଳି ପାରିନାହିଁ । ଅଭିଯୁକ୍ତ ଡ୍ରାଇଭର ଖଡ଼ିଆଳ ଥାନା ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମର ଜୟରାମ ମାଝୀ ଓରଫ ଲାବୁ ମାଝୀ ବୋଲି ଜଣାପଡିଛି । ଜୟରାମକୁ ଧରିବା ନିମନ୍ତେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.