ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
• ବୃହତ୍ତର ବ୍ରହ୍ମପୁର ମହାନଗର କରିବା ଯୋଜନାରେ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସ୍ତାବକୁ ଗୃହୀତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ଗତକାଲି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ବ୍ରହ୍ମପୁର ଗ୍ରସ୍ତ ହୋଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ସଭାଗୃହ ପରିସରରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଏହା ସହ ସହର ତଳି ଅଞ୍ଚଳ ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ମିଶ୍ରଣ ନେଇ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମନ୍ତ୍ରୀଙ୍କୁ ସହର ତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ନେଇ କମିଟି ପକ୍ଷରୁ ଅଦ୍ୟାବଧି ନିଆଯାଇଥିବା ପଦକ୍ଷେପ ଏବଂ ଏନେଇ ଉଚ୍ଚନ୍ୟାାଳୟ ଦେଇଥିବା ରାୟ ସମ୍ପର୍କରେ ଅବଗତ କରାଯାଇଥିଲା । ତତ୍ ସହିତ ସହର ତଳି ଅଞ୍ଚଳରେ ଲାଗିରହିଥିବା ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଅଭାବ ଜନିତସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ଏ ସବୁ ସମସ୍ୟା କେବଳ ସହର ତଳି ଅଞ୍ଚଳ ସବୁ ମହାନଗର ନିଗମରେ ସାମିଲ ହେଲେ ହିଁ ଦୂର ହୋଇପାରିବ ବୋଲି କମିଟି ତରଫରୁ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଦାବୀପତ୍ର ଗ୍ରହଣ କରି ମନ୍ତ୍ରୀ ନିକଟରେ ଉପସ୍ଥିତ ଥିବା ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କୁ ଖୁବଶୀଘ୍ର ଏ ସଂକ୍ରାନ୍ତରେ ଫାଇଲ ତିଆରି କରି ଭୁବନେଶ୍ୱର ଧରି ଆସିବାକୁ ପରାମର୍ଶ ଦେଇଥିଲେ । ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ସହର ତଳି ଅଞ୍ଚଳକୁ ସାମିଲ କରିବା ବିଷୟକୁ ଅତି ଗମ୍ଭୀରତା ଓ ଗୁରୁତ୍ୱର ସହ ଗ୍ରହଣ କରି ନିରବଚ୍ଛିନ୍ନ ଉଦ୍ୟମ ଚଳେଇ ଥିବାରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଜିର ଏହି ନିର୍ଦ୍ଦେଶ ଫଳରେ ସହର ତଳି ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ମହାନଗର ନିଗମରେ ମିଶ୍ରଣ ନେଇ ଆଶା ଉଦ୍ଜୀବିତ ହୋଇଛି । ସରକାର ଖୁବ୍ ଶୀଘ୍ର ଏହା ଉପରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଯାଉଥିବା କମିଟି ତରଫରୁ ଏକ ପ୍ରେସ ବାର୍ତ୍ତାରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗତକାଲି ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ସାଧାରଣ ସମ୍ପାଦକ ଡ. ଶିବ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢିହାରୀ, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ର, ସଂଯାଯୋକ ସି.ଏଚ୍. ରାମ କ୍ରିଷ୍ଣା ଦାସ, ଉପଦେଷ୍ଟା ଗଣେଶ ଚନ୍ଦ୍ର ଦାସ ଏବଂ ଅଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।