jayashree

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

• କୋଣାର୍କ, ପୁରୀ ଏବଂ ଖିଚିଂରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମର ନେତୃତ୍ୱ ନେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହେନ୍ଦ୍ର ନାଥ ପାଣ୍ଡେ ଏବଂ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର, (ପିଆଇବି) : ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି କ୍ରମରେ ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିୟମ ପାଳନ ପୂର୍ବକ ଯୋଗାଭ୍ୟାସ କରିଥିଲେ ।
କୋଣାର୍କ ସୂର୍ୟ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ । ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଠାରେ ଏହି ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା ।
ଓଡ଼ିଶାର ତିନୋଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା । କର୍ଣ୍ଣାଟକର ମହୀଶୂର ପାଲେସ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଆଜାଦୀ ଅମୃତ ମହୋତ୍ସବ ଅନ୍ତର୍ଗତ ଓଡ଼ିଶାର ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏଥର ଯୋଗ ଦିବସର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ଯୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।
କୋଣାର୍କ ଠାରେ ସମବେତ ଜନସାଧାରଣ ଯୋଗ ପ୍ରଦର୍ଶନ କରିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଯୋଗକୁ ଜୀବନ ଧାରଣର ଏକ ମାର୍ଗ ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କାରଣରୁ ଆଜି ଟୋକିଓ ଠାରୁ ଆମେରିକା ପର୍ୟ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି । ବହୁ ପୂର୍ବରୁ ଯୋଗ ଭାରତୀୟମାନଙ୍କ ଜୀବନ ଶୈଳୀର ଅଂଶବିଶେଷ ହୋଇସାରିଛି ।
ପୁରୀ ଠାରେ ଆୟୋଜିତ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ, ଯୋଗ ହେଉଛି ଶରୀର ଓ ମନ, ବିଚାର ଓ କାର୍ୟ୍ୟ, ସଂଯମ ଓ ଉପଲବ୍ଧିର ସମାହାର । ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ପ୍ରତୀକ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ । ଯୋଗ କେବଳ ଏକ ବ୍ୟାୟମ ନୁହେଁ ବରଂ ଆତ୍ମା ସହିତ, ଜଗତ ଏବଂ ପ୍ରକୃତି ସହିତ ଯୋଡ଼ି ହେବା, ସମ୍ପର୍କ ସ୍ଥାପନ କରିବାର ଏକ ସାଧନ ।
ଏହି କାର୍ୟ୍ୟକ୍ରମରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଯୋଗାଭ୍ୟାସ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସମବେତ ଜନସାଧାରଣଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଏଠାରେ ସମସ୍ତଙ୍କ ସହ ମିଶି ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଉପରେ ଯୋଗର ବିଶେଷ ପ୍ରଭାବ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କାରଣରୁ ସାରା ବିଶ୍ୱରେ ଆଜି ଯୋଗ ଅଧିକ ଲୋକପ୍ରିୟ ହୋଇପାରିଛି ।
ଅନ୍ୟପକ୍ଷରେ ଆଜି ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶବାସୀ ସାମିଲ ହୋଇଥିଲେ । ବୟସ ନିର୍ବିଶେଷରେ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳନ କରାଯାଇ ଆସୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୋଗ ଦିବସକୁ ମାନ୍ୟତା ଦେଇଥିଲା ।

Leave A Reply

Your email address will not be published.