ଆଇପିଏଲ : ବେଷ୍ଟ୍‌ ବନାମ ବେଷ୍ଟ୍‌ରେ ଦିଲ୍ଲୀକୁ ଚକ୍‌ମା ଦେଇ ମୁମ୍ବାଇ ଶୀର୍ଷରେ, ୫୩ ରନ୍‌ର ଦ୍ରୁତ ପାଳି ଖେଳି ଡି କକ୍ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ଚଳିତ ବର୍ଷ ଆଇପିଏଲର ଏପର୍ୟ୍ୟନ୍ତ ଶ୍ରେଷ୍ଠ ଦୁଇ ଦଳ ଭାବେ ଉନ୍ନତ ପ୍ରଦର୍ଶନ କରିଥିବା ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍‌ ।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲା। ଟିମ୍‌ର ଓପନର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍‌ ବ୍ୟକ୍ତିଗତ ଭାବେ ଯୋଗଦାନ ଦେଇଥିଲେ। ଏଥି ପାଇଁ ସେ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ ଅଧିନାୟକ ଶ୍ରେସୟ ଆୟର। ସେ ୩୩ଟି ବଲ ଖେଳି ୪୨ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ବ୍ୟାଟ୍ସମ୍ୟାନ ପୃଥ୍ଵୀ ସ ୪ ରନ୍‌, ଆଜିଙ୍କ୍ୟ ରହାଣେ ୧୫ ରନ୍‌, ମାର୍କସ ଷ୍ଟୋଇନିସ୍‌ ୧୩ ରନ୍‌ ଓ ଆଲେକ୍ସ କେରି ଅପରାଜିତ ୧୪ ରନ୍‌ କରିଥିଲେ। ଦିଲ୍ଲୀ ମାତ୍ର ୪ ରନ୍‌ରେ ଅର୍ଥାତ ପ୍ରଥମ ଓଭରରେ ପୃଥ୍ଵୀ ଓ ୫ମ ଓଭରରେ ୨୪ ରନ୍‌ରେ ଆଜିଙ୍କ୍ୟ ରହାଣେଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ଓ୍ଵିକେଟ୍‌ରେ ଅଧିନାୟକ ଆୟର ଆଉଟ ହେବା ବେଳକୁ ଦଳର ସ୍କୋର ୧୦୯ରେ ପହଂଚି ସାରିଥିଲା। ଦିଲ୍ଲୀର ରନ୍‌ ୧୩୦ ଥିବା ବେଳେ ମୁମ୍ବାଇର ୪ର୍ଥ ଶିକାର ହୋଇଥିଲେ ଷ୍ଟୋଇନିସ।


ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୩ ରନ୍‌ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍‌ କରି ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୩୬ ବଲ ଖେଳି ୫୩ ରନ୍‌ କରିଥିବା ବେଳେ ସୂର୍ୟ୍ୟକୁମାର ଯାଦବ ମଧ୍ୟ ୩୨ ବଲ ଖେଳି ୫୩ ରନ୍‌ କରି ମୁମ୍ବାଇକୁ ବିଜୟ ଦେଇଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ୨ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ ଓ ମାର୍କସ୍ ଷ୍ଟୋଇନିସ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୦ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ଦ୍ଵିତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.