ଆଇପିଏଲ : ମନୀଷ ଓ ବିଜୟଙ୍କ ୧୪୦ରନ୍‌ର ଭାଗିଦାରୀ ବଳରେ ରାଜସ୍ଥାନକୁ ୮ ୱିକେଟରେ ହରାଇଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଦଶମ ମ୍ୟାଚରୁ ଡେଭିଡ୍‌ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି। ଏହି ବିଜୟ ସହ ୮ ପଏଣ୍ଟ ସଂଗ୍ରହ କରି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ହାଇଦ୍ରାବାଦ୍। ଅନ୍ୟ ପକ୍ଷରେ ଏକାଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରି ଷ୍ଟିଭେନ୍ ସ୍ମିଥ୍‌ଙ୍କ ଦଳ ବିଦାୟ ମୁହାଁ ହୋଇଛି ।

ଡେଭିଡ୍ ୱାର୍ନର ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲେ। ରୟାଲ୍ସ ପାଇଁ ରବିନ୍‌ ଉଥପ୍ପା (୧୯, ୧୩ ବଲ୍‌) ଏବଂ ବେନ୍ ଷ୍ଟୋକ୍ସ (୩୦, ୩୨ ବଲ୍‌) ଭଲ ଆରମ୍ଭ କରିଥିଲେ। ରବିନ୍‌ ଉଥପ୍ପା ରନ୍‌ ଆଉଟ୍ ହୋଇଯିବା ପରେ ବେନ୍ ଷ୍ଟୋକ୍ସଙ୍କୁ ରସିଦ୍‌ ଖାନ୍ ବୋଲ୍ଡ କରି ଦେଇଥିଲେ। ସଂଜୁ ସାମସନ୍ (୩୬, ୨୬ ବଲ୍‌) ମଧ୍ୟ ଭଲ ଖେଳି ଆସୁଥିବା ବେଳେ ଜାସନ୍ ହୋଲ୍ଡରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ‌ଜୋସ୍ ବଟ୍ଟଲର୍ (୯), ଷ୍ଟିଭେନ୍ ସ୍ମିଥ୍‌ (୧୯, ୧୫ ବଲ୍‌), ରିୟାନ୍ ପରାଗ (୨୦, ୧୨ ବଲ୍‌) ପ୍ରମୁଖ ବଡ଼ ପାଳି ଖେଳିପାରିନଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡର ବୋଲିଂରେ ପ୍ରଭାବୀ ପ୍ରଦର୍ଶନ (୪-୦-୩୩-୩) କରିଥିଲେ। ରସିଦ୍‌ ଖାନ୍‌ (୪-୦-୨୦-୧) ଏବଂ ବିଜୟ ଶଙ୍କର (୩-୦-୧୫-୧) ମିତ୍ତବ୍ୟୟୀ ବୋଲିଂ କରିଥିଲେ ।

ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପାୱାର ପ୍ଲେ ଭିତରେ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର ଏବଂ ଜନି ବେୟାରଷ୍ଟୋଙ୍କୁ ଇଂଲିସ୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହା ପରେ ମନୀଷ ପାଣ୍ଡେ (୮୩, ୪୭ ବଲ) ଏବଂ ବିଜୟ ଶଙ୍କର (୫୨, ୫୧ ବଲ) ତୃତୀୟ ୱିକେଟରେ ୧୪୦ଞ୍ଚ ରନ୍ ଯୋଡ଼ି ବିଜୟକୁ ଏକତରଫା କରି ଦେଇଥିଲେ। ବିଜୟ ଶଙ୍କର ପାଳି ଗଢ଼ିବାରେ ଲାଗି ପଡ଼ିଥିବା ବେଳେ ପାଣ୍ଡେ ନିଜ ପ୍ରହାର କରିଥିଲେ। ପାଣ୍ଡେ ମାତ୍ର ୨୮ ବଲରୁ ତାଙ୍କ ଚଳିତ ଋତୁର ତୃତୀୟ ଅର୍ଧଶତକ ହାସଲ କରିଥିଲେ। ବିଜୟ ଶଙ୍କର କିନ୍ତୁ ଦିନିକିଆ ଷ୍ଟାଇଲରେ ଖେଳି ୫୧ ବଲରୁ ୫୦ ପୂର୍ଣ୍ଣ କରିଥିଲେ। ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ହାଇଦ୍ରାବାଦ ୧୧ ବଲ୍ ପୂର୍ବରୁ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା ।

Leave A Reply

Your email address will not be published.