ସରକାରଙ୍କ ବିପିଏଲ୍‌ ଯୋଜନାରୁ ବଂଚିତ ଗରିବ ପରିବାର

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଗୋଟିଏ ପରିବାରର କାଲମତି ମାଝି, ଲକ୍ଷ୍ମଣ ମାଝି ଓ ଅଭିମନ୍ୟୁ ମାଝି ଦାଦନ ଶ୍ରମିକ ଭାବେ ଇଟା ଗଢ଼ିବାକୁ ଯାଆନ୍ତି ପ୍ରତିବର୍ଷ ହାଇଦ୍ରାବାଦ । ପେଟ ପାଇଁ ନାନାଦି ନାଟ । ପେଟ ପୋଷିବାକୁ ଏମାନେ ଦାଦନ ଶ୍ରମିକ ହୁଅନ୍ତି । ଲକ୍‌ଡାଉନ୍‌ ସମୟରୁ ସେମାନେ ନିଜ ଜନ୍ମମାଟିକୁ ଫେରି ଖୁବ୍‌ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଦୁଃଖର ବିଷୟ ଯେ, ଏମାନେ ସରକାରଙ୍କ ବିପିଏଲ୍‌ ଯୋଜନାରୁ ବଂଚିତ ହୋଇଛନ୍ତି । କାଲମତି ମାଝି କହିଛନ୍ତି, ପୂର୍ବରୁ ତାଙ୍କର ବିପିଏଲ୍‌ କାର୍ଡ ଥିଲା । କିନ୍ତୁ କୌଶଳ କ୍ରମେ ପଞ୍ଚାୟତର ଅଧିକାରୀ ତୁମକୁ ନୂଆ କାର୍ଡ ଦିଆଯିବ କହି ସେମାନଙ୍କଠୁ ବିପିଏଲ୍‌ କାର୍ଡ ନେଇଗଲେ । ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଆଉ ବିପିଏଲ୍‌ କାର୍ଡ ଦିଆଯାଇନାହିଁ । ତେବେ ସେମାନଙ୍କ ବିପିଏଲ୍‌ କାର୍ଡ ପ୍ରସ୍ତୁତ କରାଯାଇ ଚାଉଳ ହଡପ୍‌ କରାଯାଉଛି ନା’ ତାଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଛି, ତାହା ଏବେ ବିରାଟ ପ୍ରଶ୍ନ । ଏ ସଂକ୍ରାନ୍ତରେ ତଦନ୍ତ କରାଯାଇ ଉଚିତ୍‌ ପଦକ୍ଷେପ ନେବାକୁ ବ୍ଲକ୍‌ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଥିବା ବେଳେ ଏହି ଗରିବ ପରିବାରଙ୍କୁ ତୁରନ୍ତ ବିପିଏଲ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ମଧ୍ୟ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.