ଲର୍ଡସରେ ଭାରତର ଦମଦାର ବିଜୟ : ଇଂଲଣ୍ଡକୁ ୧୫୧ ରନରେ ହରାଇ ୧-୦ରେ ସିରିଜ ଆଗୁଆ ଭାରତ

ଲଣ୍ଡନ : ମଙ୍ଗଳବାର ଖେଳ ଆରମ୍ଭ ବେଳକୁ ମନରେ ଢେର ଆଶା ଆଶଙ୍କା ଥିଲା । ପନ୍ତ ପ୍ୟାଭିଲିୟନ ଫେରିବା ପରେ ଆସନ୍ନ ପରାଜୟ ବି ଜଳ ଜଳ ଦେଖା ଯାଉଥିଲା । ହେଲେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା କମାଲ କଲେ । ଅପୂର୍ବ ସାହସ, ଅସୀମ ଧୈର୍ଯ୍ୟ ଓ ଦୃଢ଼ ଏକାଗ୍ରତାର ବଳିଷ୍ଠ ନମୁନା ଦେଖାଇ ଅବିଭା‌ଜିତ ନବମ ୱିକେଟ୍‌ରେ ଅବିୟଶ୍ୱସନୀୟ ଭାବେ ୮୯ ରନ୍ ଯୋଡ଼ିନେଲେ । ଫଳରେ ଉତ୍କଣ୍ଠାପୂର୍ଣ୍ଣ ଲର୍ଡସ ଟେଷ୍ଟ୍‌ରେ ଇଂଲଣ୍ଡ ସମ୍ମୁଖରେ ୬୦ ଓଭରରୁ ୨୭୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହେଲେ । ତେବେ ମହମ୍ମଦ ସିରାଜ ଲଗାତାର ଦୁଇଟି ବଲରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ଠାରୁ ମ୍ୟାଚ୍‌ ଛଡାଇ ଆଣିଥିଲେ । ଏହା ପରେ ସେହି ସାମି (୧/୧୩), ବୁମ୍‌ରା (୩/୩୩) ଅଭିଜ୍ଞ ଈଶାନ୍ତ ଶର୍ମା (୨/୧୩) ଓ ଯୁବବୀର ମହମ୍ମଦ ସିରାଜ (୪/୩୨)ଙ୍କ ସହ ମିଶି ଜଣେ ପରେ ଜଣେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଘରୋଇ ଦଳର ପାଳିକୁ ୧୨୦ ରନ୍‌ (୫୧.୫ ଓଭର)ରେ ‌ଶେଷ କରିଦେଲେ । ଖେଳ ‌ଶେଷ ହେବାର ୮.୧ ଓଭର ପୂର୍ବରୁ ଭାରତକୁ ଏକ ଅସାଧାରଣ ବିଜୟ ଉପହାର ଦେଲେ । ‌ଶେଷ ଦିନରେ ୧୫୧ ରନ୍‌ର ନାଟକୀୟ ବିଜୟ ସହ ଐତିହାସିକ ଲର୍ଡସ ପଡ଼ିଆରେ କୋହଲି ବାହିନୀ ଲେଖିଲା ନୂଆ ଇତିହାସ । ତା’ ସହ ଭାରତ ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା। ଭାରତର ଟେଷ୍ଟ୍ ଇତିହାସରେ ବି ଯୋଡ଼ି ହୋଇଗଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହାପୂର୍ବରୁ ଦ୍ୱିତୀୟ ପାଳିରେ ଭାରତ ୧୫୪ ରନ୍‌ରେ ଆଗୁଆ ରହିଥିଲା । ଭାରତର ୧୮୧/୬ ୱିକେଟ ଥିବା ବେଳେ ରିଷଭ ପନ୍ତ (୨୨) ଏବଂ ଇଶାନ୍ତ (୧୬) ରନ୍‌ କରିଥିଲେ । ମହମ୍ମଦ ସାମି ଏବଂ ଜସପ୍ରୀତ ବୁମରାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିଜର ସ୍ଥିତିକୁ ଦୃଢ କରିପାରିଥିଲା । ଶାମି ଏବଂ ବୁମରା ନବମ ୱିକେଟ୍ ପାଇଁ ଅପରାଜିତ ୮୯ ରନ୍ ସଂଗ୍ରହ କରିଥିଲେ । ଫଳରେ ଭାରତ ୨୯୮/୮ ୱିକେଟ ହରାଇ ପାଳି ଘୋଷଣା କରିଥିଲା ।

Leave A Reply

Your email address will not be published.

twenty + fourteen =