pakka

ଅସଭ୍ୟ ପରମ୍ପରା ଓ ରେଗିଂ

  • ଆନଂଦ ଚଂଦ୍ର ସାହୁ

ଗୁଡ଼ାଏ ଅସଭ୍ୟ ପରମ୍ପରାରେ ଉବୁଟୁବୁ ଆଜି ଯୁବ ସମାଜ, ଯାହା ଫଳରେ କଳଙ୍କିତ ଘଟଣା ଦୁର୍ଘଟଣା ଯୁବ ସମାଜର ପିଛା ଛାଡ଼ୁନି । ବହୁ ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଛି ଅବେଳରେ ଖାସ୍‌ ଏଭଳି ଅସଭ୍ୟ ପରମ୍ପରା ଯୋଗୁଁ । ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ରେଗିଂ ଭଳି ଅମାନବୀୟ ପରମ୍ପରାକୁ ଆଇନ କାନୁନର କଡ଼ା ତାଗିଦ୍‌ ସତ୍ୱେ ରୋକା ଯାଇପାରୁନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ଅତ୍ୟଧିକ ରେଗିଂ ଯୋଗୁଁ ଘଟିଛି ବୋଲି ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା ପ୍ରେସ୍‌ ଇସ୍ତାହାରରେ କହିଛନ୍ତି । ଏହି ଘଟଣାର କ୍ରାଇମ୍‌ ବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ କରାଯାଇଛି ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

ସିନିଅର୍‌ ଜୁନିଅର୍‌ ବାଛ ବିଚାର ରେଗିଂର ମୂଳ ବୋଲି ବିବେଚନା କରାଯାଏ । ନୂଆ ନୂଆ କଲେଜକୁ ଆସୁଥିବା ପିଲାମାନଙ୍କୁ ସିନିଅର୍‌ ଛାତ୍ରମାନେ ରେଗିଂ କରିବା ଯଦି ବି ନୂଆ କଥା ନୁହେଁ, ଏବେ କିନ୍ତୁ ରେଗିଂର ରୂପରେଖ ପ୍ରାୟତଃ ପରିବର୍ତ୍ତନ ହୋଇ ସାରିଥିବା ଅନୁଭବ ହେଉଛି । ଏବେ ଅମାନବୀୟ ଆକ୍ରୋଶ ନେଇ ନୂଆ ଛାତ୍ରଛାତ୍ରୀଙ୍କୁ ରେଗିଂ ନାମରେ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ଅନେକାଂଶରେ ଆଖି ସାମ୍ନାକୁ ଆସୁଛି । ଫଳରେ ନୂଆ ନୂଆ କଲେଜରେ ପାଦ ଦେଇଥିବା ଛାତ୍ରଛାତ୍ରୀମାନେ ନିରୁତ୍ସାହିତ ହୋଇ ପଡ଼ୁଥିବା ବେଳେ କେଉଁଠି କେମିତି ରେଗିଂ ଅସହ୍ୟ ହେଲେ ଜୀବନ ହାରିବା ଭଳି ପରିଣାମ ସାମ୍ନାକୁ ଆସୁଛି ।

ବିଚିତ୍ର ଓ ସ୍ଖଳିତ ଅସଭ୍ୟ ପରମ୍ପରାରେ ଆଜି ପଥଚ୍ୟୁତ ହେବାରେ ଲାଗିଛି ଯୁବ ସମାଜ । ଏବେ ଏଭଳି ଆଉ ଏକ କୁତ୍ସିତ ପରମ୍ପରାକୁ ଆଲୋଚନା ପରିସରକୁ ନିଆଯାଇପାରେ । ଏବେ କେତେକାଂଶରେ ଯୁବକମାନେ ଜନ୍ମଦିନ ପାଳନକୁ ମଧ୍ୟ ଏଭଳି ବିରକ୍ତିକର ପରମ୍ପରା ସହ ଗୁନ୍ଥି ଦେଲେଣି । ଜନ୍ମଦିନ ପାଳନ ସମୟରେ ଯେଉଁ ଯୁବକ ବନ୍ଧୁଙ୍କ ଜନ୍ମଦିନ ପାଳନ କରାଯାଉଛି, ତାଙ୍କ ମୁହଁରେ ଜବର୍‌ଦସ୍ତ କେକ୍‌ ଗେଂଜିବା ସହ କଟାଯାଇଥିବା କେକ୍‌କୁ ମୁହଁରେ ଲଗେଇବା ଏବଂ ଏହାପରେ ବନ୍ଧୁଙ୍କୁ ଆକ୍ରାମଣାତ୍ମକ ଭାବେ ମାଡ଼ ମାରିବା । ଏହା କି ପ୍ରକାର ଜନ୍ମଦିନ ପାଳନ, ସେମାନେ ହିଁ ଜାଣିଥିଲେ । ଜବର୍‌ଦସ୍ତ ମୁହଁରେ କେକ୍‌ ଗେଂଜିବା ଦ୍ୱାରା ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ କିଛି ବର୍ଷ ତଳେ ଜୀବନ ଚାଲିଯାଇଥିଲା । ତଥାପି ଏଭଳି କୁତ୍ସିତ ପରମ୍ପରା ଯୁବ ସମାଜ ଧାରଣ କରି ରଖିଛନ୍ତି ।

ଆଜିର ଯୁବ ସମାଜ ଏଭଳି କୁତ୍ସିତ ଅସଭ୍ୟ ପରମ୍ପରାରୁ ମୁକୁଳିବା ନିହାତି ଅନିବାର୍ଯ୍ୟ । ଏଥିପ୍ରତି ଅଭିଭାବକମାନେ ମଧ୍ୟ ଯତ୍ନବାନ ହେବା ଦରକାର । ନଚେତ୍‌ କୁପରିଣାମ ଭୋଗିବା ଓ ମୁଣ୍ଡରେ ହାତ ଦେଇ କବାଟ କୋଣରେ ବସି କାନ୍ଦିବା ହିଁ ଭାଗ୍ୟରେ ଯୁଟିବ, ଏଥିରେ ସଂଦେହ ନାହିଁ ।

Leave A Reply

Your email address will not be published.

2 × 2 =