pakka

କବିତା : ମୋ ପରିବେଶ

  • ବିଜୟ ପ୍ରଧାନ

ଆଜି ସକାଳୁ ସକାଳୁ ଶାଗବାଲିର
ମୁଲଚାଲ କରି କିଣିଥିବା
ନଳିତା ଶାଗର ସବୁଜିମାରୁ ଆରମ୍ଭ
ମୋର ପରିବେଶ ଦିବସ।

ଆମ୍ବଗଛରୁ ଗତରାତିର ଦୁର୍ଦ୍ଦାନ୍ତ ପବନରେ
ଖସିଥିବା କଂଚା ପାଚିଲା ପତ୍ରସହ ଆମ୍ବ ସବୁକୁ
ଝାଡୁକରି ଅଲଗା ରଖୁଥାଏ
ଝାଡୁବାଲି ନବମ ଶ୍ରେଣୀରେ ପଢ଼ୁଥିବା
ଆର ସାହିର ଝିଅ ।

ବାପା ଲୋକ ଲଗାଇ କଟାଉଥାନ୍ତି
ଇଲେକ୍ଟ୍ରିକ ଖୁଣ୍ଟରେ କୁଣ୍ଢାକୁଣ୍ଢି
ଇଉକାଲିପଟାସ ଡାଳ,
ଗଛରୁ ଖସି ଫାଟି ତଳେ ବିଛେଇ ପଡିଥିବା
ପାଚିଲା ପଣସ ଖାଇବାରେ
ସାହି ପିଲାଏ ଭୋଳ ।

ବଗିଚାର ଧଳାଫୁଲ ଯେତେ
ଚୋରି ହୋଇସାରିଲେଣି
ବଡ଼ି ଭୋର ରୁ
ନାରଙ୍ଗୀ ଫୁଲ ମାନଙ୍କରେ
ପଡ଼ୋଶୀନି ଆନ୍ଧ୍ର ଝିଅର ନଜର
ଡାଳରେ ଯାହା ଝୁଲୁଛନ୍ତି
ଡହଡହ ମନ୍ଦାର
ବିଭିନ୍ନ ରଙ୍ଗର ।

ମା ଥିଲାବେଳେ ପାଣି ଦଉଥିଲା ଫୁଲଗଛରେ
ଦାନ୍ତକାଠି କଲାବେଳେ
ଟୁଥବ୍ରସ ଜମା ପସନ୍ଦ ନୁହେଁ ତାର
ଗାଧୁଆ ପାଣିକୁ ବଳେଇ ଦଉଥିଲା
କଦଳୀ ଗଛମୁଳକୁ
ବତିଶା ଫଳାଉଥିଲା
ଏବେ କଦଳିଗଛ ସହି ପାରୁନି
କାନ୍ଧିର ଭାର ।

ପିଜୁଳିଗଛ କଟାହେଲା
ଝିଆରୀ ବାହାଘରରେ
ଟେଣ୍ଟ ଲଗାଇଲାବେଳେ
ଧାଡ଼ିଧାଡ଼ି ଫୁଲଗଛ ବି
ତ୍ରାହି ପାଇଗଲେ
ଦୈନନ୍ଦିନ ବଲାତ୍କାରରୁ
ଏବେ ବାଡ଼ିଦୁଆର ଖୁବ ଫର୍ଚ୍ଚା ଲାଗେ
ଯଦିଓ ଖରା ଫଟେଇଦିଏ
ପିଠି ଆଉ ତାଳୁ ।

ବାଡ଼କୁ ଲାଗି ଥିବା ସଜନାଗଛରେ
ବାରମାସି ଛନଛନ ପତ୍ର
ଫୁଲ ଓ ସଜନା ଛୁଇଁପାଇଁ
ପଡ଼ୋଶୀଙ୍କ ସହ କଳି
ମୁଳୁ ମାଇଲେ ଯିବ ସରି ରୀତିରେ
ଝଗଡ଼ା ବନ୍ଦ ଆଜିକାଲି ।

ଆମଦାନୀ ହେଲା ପରିବା ବୋହି
ଘର ସାମ୍ନାରେ ହାଜିର
ପରିବା ବାଲାର ପାଟି
ଟେଙ୍କରରେ ପାଣି
ଏକ ସମୟରେ ପହଂଚିଯାନ୍ତି
କାହିଁକି କେଜାଣି ।

ବିଳମ୍ବ ହେଲେ ପାଣି ମିଳେନି
ତଥାପି କେହି କେହି ଫେରନ୍ତି
ଖାଲି ହାତରେ
ପୋଖରୀର ଗୋଳି ପାଣିରେ
ମାଛମାନେ ପହଁରୁଥାନ୍ତି ମହା ଆନନ୍ଦରେ ।

ଖରା ଦାଉରୁ ରକ୍ଷା ପାଇଁ
ବୁହା ହେଉଚ୍ଜି କଟା ଜାମୁଡାଳ
ଛାଉଣୀ ପାଇଁ, ନାମଯଜ୍ଞର
ଦି’ପଟ ପ୍ରବେଶ ଦ୍ୱାରରେ
ପାଣି ଛିଟା ସହ ଥଣ୍ଡା ପବନ ଫିଙ୍ଗୁଛନ୍ତି
ଦି’ଟା ବିଶାଳ କୁଲର ।

ଗୋଟେ ଶାଗୁଆ ରଙ୍ଗର ସମ୍ବଲପୁରୀ ଢିଲା,
କାନ୍ଧରେ ଧଡ଼ିପକା ଗାମୁଛା ପକାଇ
ଏବେ ଏବେ ଘରୁ ବାହାରିଲି
ପରିବେଶ ଦିବସ ସଭାରେ
ଭାଷଣ ଦେବା ପାଇଁ ।

ଏସି ରୁମ ଭିତରେ
ଆଃ କି ମନୋରମ ପରିବେଶ
କାନ୍ଥସାରା ଶାଗୁଆ ଶାଗୁଆ ବ୍ୟାନର
ଆଉ ପ୍ରୋଜେକ୍‌ଟର୍‌ରେ
ଧାନ ଚାଷ, ଗଛ ଚାଷ, ମାଛ ଚାଷ
ଚାଷ ଚାଷ ବାର ମାସ
ଶାବ୍ଦିକ ପରିବେଷଣ ରେ
ଚମତ୍କାର ପରିବେଶ ଦିବସ !

  • ମୋ.ନଂ. : ୯୯୩୮୩୫୭୬୮୪
Leave A Reply

Your email address will not be published.

1 × five =