• ଗଣତନ୍ତ୍ରର ମୂଳଦୁଆ ହେଉଛନ୍ତି ଭୋଟର : ଭୋଟର ଯେତେ ବଳିଷ୍ଠ ହେଲେ ଗଣତନ୍ତ୍ର ସେତେ ମଜବୁତ ହେବ – ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱାଦଶ ଜାତୀୟ ମତଦାନ ଦିବସ-୨୦୨୨ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସମାରୋହ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଭବନ (ଋଷିକୁଲ୍ୟା ସମ୍ମିଳନୀ କକ୍ଷ)ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ, ବିଶ୍ୱରେ ଭାରତ ହେଉଛି ସବୁଠୁ ବୃହତ୍ତର ଗଣତନ୍ତ୍ର ରାଷ୍ଟ୍ର । ଭୋଟର ହେଉଛନ୍ତି ଏହାର ମୂଳଦୁଆ । ଭୋଟରଗଣ ଯେତେ ମାତ୍ରାରେ ସୁଦୃୃଢ ହେବେ ଭାରତର ଗଣତନ୍ତ୍ର ସେତେ ମାତ୍ରାରେ ମଜବୁତ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ମତଦାତା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ସଚେତନ ସହ ନିଜର ମତ ସାବ୍ୟସ୍ତ କରି ନିଜ ବିବେକକୁ ପଚାରି ଭୋଟ ଦାନ କଲେ ଉପଯୁକ୍ତ ପ୍ରାର୍ଥୀ ନିର୍ବାଚିତ ହୋଇପାରିବେ । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ଏବଂ ଏହାର ସଫଳତା ମିଳୁଥିବାରୁ ବୁଥ୍ ସ୍ତରୀୟ ଅଫିସର ମାନଙ୍କୁ ଜିଲ୍ଲାପାଳ ଏ କ୍ଷେତ୍ରରେ ସକ୍ରୀୟ କର୍ମୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ଯୁବ ଭୋଟରମାନଙ୍କୁ ଭୋଟ ପରିଚୟ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଏଥିରେ ଯୋଗଦେଇ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ଏବଂ ଏହାଦ୍ୱାରା ଏହାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ସମ୍ପର୍କରେ ଶପଥ ପାଠ କରାଇଥିଲେ । ଡେପୁଟି- କଲେକ୍ଟର (ନିର୍ବାଚନ) ଏମ୍. ପ୍ରମୋଦ କୁମାର ବେହେରା ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶ୍ରେଷ୍ଠ ବୁଥ ସ୍ତରୀୟ ଅଫିସର (ବିଏଲ୍ଓ) ଭାବେ ଗୋପାଳପୁରର ଶିକ୍ଷୟତ୍ରୀ ମାମି ନାୟକ, ବ୍ରହ୍ମପୁର ପୁରୁଣା ତାଲୁକା ସୁବୁଦ୍ଧିଦେବୀ ପିୟୁପିଏସ୍ର ଅଙ୍ଗନୱାଡି କର୍ମୀ ଅନୀତା କୁମାରୀ ସାହୁ ଓ ଚିକିଟି ବ୍ଲକ ସୁନାପୁର ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ହରି ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଭୋଟର ସଚେତନତା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛତ୍ରପୁର ସହରରେ ଏହି ରଥ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ପରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମଧ୍ୟ ଉକ୍ତ ଭୋଟର ସଚେତନତା ରଥ ପରିକ୍ରମା କରିବାରେ ବାହାରିଥିଲା ।