ସୁବର୍ଣ୍ଣପୁର/ବଲାଙ୍ଗିର, (କେପିଏନ୍ଏସ୍) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜୈନେକ ରୋଗୀଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଡା. ସଞ୍ଜିବ କୁମାର କରଙ୍କ ସୋନପୁରସ୍ଥିତ ସରକାରୀ ବାସଭବନ, ବଲାଙ୍ଗିର ସୁଦପଡ଼ାସ୍ଥିତ ବାସଭବନ ଏବଂ ଦୋକାନରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି । ଭିଜିଲାନ୍ସ ବିଭାଗ ମାମଲା ରୁଜୁକରି ଡାକ୍ତରଙ୍କୁ କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ଥାନା ଯାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ତାଙ୍କ ସମ୍ପର୍କୀୟ ପୁତୁରା ହାଡୁ ପ୍ରଧାନ ଡାକ୍ତର କରଙ୍କ ପାଖକୁ ଆସିଥିଲେ । ଲକ୍ଷ୍ମଣଙ୍କ ଚକ୍ଷୁ ଅସ୍ତ୍ରେପଚାର ପାଇଁ ସେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର କର ତାଙ୍କୁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ସମସ୍ତ ସରକାରୀ ଡାକ୍ତରଖାନାରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା ହେଉଥିବା ବେଳେ ଏଠାରେ ଡାକ୍ତର ଅର୍ଥ ଦାବୀ କରିବା ନେଇ ହାଡୁ ପ୍ରଧାନ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ସୋମବାର ଦିନ ଡାକ୍ତର କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ଆଉଟ୍ଡୋରରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇ ଡାକ୍ତର କରଙ୍କୁ ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଚଢଉରେ ବଲାଙ୍ଗିର ଭିଜିଲାନ୍ସ ଡିଏସ୍ପି ପୌଲସ୍ତି ଛତ୍ରିଆ, ଇନ୍ସପେକ୍ଟର ଟେରେସା ଖେସ୍, ସୋନପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ଇନ୍ସେପେକ୍ଟର ହୃଦାନନ୍ଦ କାଲୋଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ ।