ଭିଜିଲାନ୍ସ ଜାଲରେ ଲାଇନ୍‌ ମ୍ୟାନ୍‌ ମାନସ ରଞ୍ଜନ ସାହୁ

ପିପିଲି : ପୁରୀ ଜିଲ୍ଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ଏକ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଧରି ଗିରଫ କରିଛି । ଏ ନେଇ ଭିଜିଲାନ୍ସ ଟିମ୍‌ ପକ୍ଷରୁ ମାନସଙ୍କ ବିରୋଧରେ ଏକ ମାମଲା(ନଂ.୪୩/୨୨) ରୁଜୁ କରିବା ସହ ଲାଞ୍ଜ ଟଙ୍କା ୭,୫୦୦କୁ ଜବତ କରିଛି । ସୂଚନା ଅନୁସାରେ, ଡେଲାଙ୍ଗ ବ୍ଲକ ତଥା ଭାରତୀପୁର ବିଦ୍ୟୁତ୍‌ ସେକ୍ସନ ଅନ୍ତର୍ଗତ ପଥରଢ଼ିଆ ଗ୍ରାମର ଜଣେ ବ୍ୟକ୍ତି ଏକ କୁକୁଡ଼ା ଫାର୍ମ କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେଠାରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଭାରତୀପୁର ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ସେ ଯାଇଥିଲେ । ତେବେ ଲାଇନ ମ୍ୟାନ୍‌ ମାନସ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ତାଙ୍କୁ ୭ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ବ୍ୟକ୍ତି ଜଣକ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ତେବେ ଶୁକ୍ରବାର ପଥରଢିଆ ଗ୍ରାମରୁ ଉକ୍ତ ବ୍ୟକ୍ତିଙ୍କଠାରୁ ୭,୫୦୦ଟଙ୍କା ଲାଞ୍ଚ ମାନସ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା ।

Leave A Reply

Your email address will not be published.

14 − 14 =

error: Content is protected !!