csstore

ପଦ୍ମପୁରରେ ଲୋକକଳା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗ ଦ୍ୱାରା ପାଳିତ ହୋଇଥିବା ଲୋକକଳା ଉତ୍ସବ ପଦ୍ମପୁର ବ୍ଲକ ସଂସ୍କୃତି ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଅଶୋକ କୁମାର ବହିଦାର, ଅଭିନେତା ଜଗନ୍ନାଥ ସେଠ, ଜିପିଓ ମୁଞ୍ଜୁ ମୁଣ୍ତା, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସନ୍ତୋଷ ବେହେରା, ଆକାଉଣ୍ଟ ପ୍ରାଚୁର୍ଯ୍ୟ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ମା’ ସମଲେଇଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରି ଅତିଥିଙ୍କ ଗହଣରେ ମୁଖ୍ୟଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ସୁରେନ୍ଦ୍ର ସାହୁ ଓ ସାଥୀ ଉପସଭାପତି ଅଶ୍ୱିନୀ କୁମାର ପଟେଲ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରମେଶ ଗୁର୍ଲା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ” ଲୋକକଳା ଓ ଲୋକ କଳାକାରଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିଲେ ଯାଇ ପାରମ୍ପରିକତା ଓ ମୌଳିକତା ସୁରକ୍ଷିତ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଗାଁରୁ ଆସିଥିବା ଲୋକ କଳାକାରମାନେ ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ସଂଘ ତରଫରୁ ପ୍ରଶଂସା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଭାରତ ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ଛାତ୍ର ବୃତ୍ତି ପାଇଥିବା ସୁଶ୍ରୀ ଦିବ୍ୟା କଣ୍ଟାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସମିତିସଭ୍ୟ ସୁଦାମ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ବ୍ଲକୀ ସମସ୍ତ କର୍ମଚାରୀ ତଥା ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.