csstore

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ପିଆଇବି) : ଶିକ୍ଷା ଏକ ବୃତ୍ତିର ମାଧ୍ୟମ ନୁହେଁ, ଏହା ସାଧନା ଓ ବ୍ରତ ବୋଲି ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତବ୍ୟକ୍ତ କରିଛନ୍ତି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସୀୟ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଦାଶ ହୀରାକୁଦ ବନ୍ଧ ନିର୍ମାତା ବିଶ୍ଵେଶ୍ୱରାୟଙ୍କଠାରୁ ଆରମ୍ଭକରି ବହୁବିଖ୍ୟାତ ବ୍ୟକ୍ତିତ୍ୱଙ୍କ ଦୃଷ୍ଟାନ୍ତ ଦେଇ ଶୃଙ୍ଖଳା, ସାଧୁତା, କର୍ତ୍ତବ୍ୟ ପରାୟଣତା କିଭଳି ବ୍ୟକ୍ତିକୁ ବ୍ୟକ୍ତିତ୍ୱରେ ରୂପାନ୍ତରିତ କରେ ତାହା ସୂଚାଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୁରାତନ ଛାତ୍ର ସୁଭାଷ ଚନ୍ଦ୍ର ଚୌଧୁରୀ ନିଜର ପାଠପଢା ସମୟର ଅନୁଭୂତି ଉପସ୍ଥାପନ କରି ସବୁ ପଦପଦବୀଠାରୁ ଶିକ୍ଷକ ପଦବୀ ସମାଜର ଆଲୋକବର୍ତ୍ତିକା ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ ସହ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାକୁ କିଭଳି ସଂପ୍ରସାରିତ କରାଯାଇଛି ତାହା ବୁଝାଇ କହିଥିଲେ । ପ୍ରତିଷ୍ଠାନର ଡିନ ପ୍ରଫେସର ମାନସୀ ଗୋସ୍ଵାମୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଛାତ୍ର ପରିଷଦର ଉପଦେଷ୍ଟାଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ବାର୍ଷିକ ବିବରଣୀ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସମ୍ବଲପୁରୀ, ରାଜସ୍ଥାନୀ, କାଶ୍ମିରୀ ନୃତ୍ୟ ସହ ବିବିଧ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତିଷ୍ଠାନର ପୁରାତନ ଶିକ୍ଷାର୍ଥୀ ମାନଙ୍କଦ୍ୱାରା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଉତ୍କର୍ଷ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବକୁ ଛାତ୍ର ପରିଷଦର ସହଉପଦେଷ୍ଟା ଡକ୍ଟର କଳିଙ୍ଗ କେତକୀ, ଡକ୍ଟର ରଶ୍ମିରେଖା ସେଠୀ ଓ ଡକ୍ଟର ସୌରଭ କାପୁର ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ପ୍ରଫେସର ରୀତାଞ୍ଜଳି ଦାସ, ଡକ୍ଟର ବେଦ ପ୍ରକାଶ ବର୍ମା, ଡି. ଏମ୍‌. ସ୍କୁଲର ପ୍ରଧାନ ଶିକ୍ଷକ ଅଖିଳେଶ୍ଵର ମିଶ୍ର, ପ୍ରଶାସନିକ ଅଧିକାରୀ ପି. ସି. ମିନା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ପରିଷଦର ଶ୍ରେଣୀ ପ୍ରତିନିଧିମାନଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ ।

jayashree
Leave A Reply

Your email address will not be published.