csstore

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ : ୨୧୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟ ଠାରେ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ଓ ପ୍ରେରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ-୧ ଗ୍ରେଡ଼ ହାସଲ କରିଥିବା ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱତନ୍ତ୍ର ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ଏବଂ ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ଓଡିଶା ସରକାର ଡ଼. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଏଡିଇଓ ପ୍ରବୀର କୁମାର ପଣ୍ଡା, ଏଡିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍ୱାଗତ ଭାଷଣ ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ନିଜ ବକ୍ତବ୍ୟରେ ଅଧ୍ୟବସାୟ, ଶୃଙ୍ଖଳା ଓ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସ୍ୱତନ୍ତ୍ର ଅତିଥି ଡ଼. ମହାଲିଙ୍ଗ ନିଜ ବକ୍ତବ୍ୟରେ ଶିକ୍ଷା ହେଉଛି ସମାଜ ପରିବର୍ତ୍ତନ ର ସବୁଠାରୁ ବଡ଼ ମାଧ୍ୟମ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଦୃଢ଼ ସଂକଳ୍ପ ବଦ୍ଧ ରହିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ମେଧାବୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଭବିଷ୍ୟତ ରେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ଇସଲୱାର ନିଜ ବକ୍ତବ୍ୟରେ ଜୀବନରେ ସଫଳତାର ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଓ ସଫଳତା ପାଇବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ମାଧ୍ୟମିକ ବିଦ୍ୟାଳୟର ୩୬ଜଣ ଏବଂ କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟ ର ୧୭୫ଜଣଙ୍କ ସହ ସମୁଦାୟ ୨୧୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ଅଳକା ଦାଶ କରିଥିବା ବେଳେ ଏଡିଇଓ ପ୍ରବୀର କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.