jayashree

ବାରବନ୍ଧରେ ପୁଣି ୧୮ ଟିକିଆ ହାତୀପଲଙ୍କ ଉତ୍ପାତ

  • ହାତୀପଲ ଚାଉଳ ସହ ଖାଇଲେ କି ଘରେ ଥିବା ଏକ ଭରି ସୁନା ଓ ୩୫ ହଜାର ଟଙ୍କା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାରୀ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଏବେ ଏହି ହାତୀପଲ ଜଙ୍ଗଲ ଅଞ୍ଚଳ ଛାଡ଼ି ଗାଁ ମୁହାଁ ହେଉଥିବାରୁ ବନ ବିଭାଗର କର୍ମଚାରୀ ନାକେଦମ୍ ହେଉଥିବା ବେଳେ ସାଧାରଣ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । କିଛି ଦିନ ତଳେ ହାତୀପଲ ବାରବନ୍ଧ ଗାଁର ଗଙ୍ଗାଧର ମାଝୀଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ପାଟିତୁଣ୍ଡ କରିବାରୁ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ପୁଣି ରବିବାର ରାତିରେ ହାତୀପଲ ପାଖରେ ଥିବା ଜାଣି ବନବିଭାଗ ପକ୍ଷରୁ ଯିଏ ବାହାରେ ବା ଏକାକୀ ଘରେ ଥିବେ ସମସ୍ତେ ଗାଁ ଭିତରକୁ ଯିବାକୁ ପରାମର୍ଶ ଦିଆଯାଇଥିଲା । ଠିକ୍ ସାଢ଼େ ୧୦ ଘଣ୍ଟା ସମୟରେ ୧୮ଟିକିଆ ହାତୀପଲ ଗାଁର ଭୀଷ୍ମ ପଧାନଙ୍କ ଘରକୁ ଭାଙ୍ଗିରୁଜି ଚୁରମାର କରିଦେଇଥିଲେ । ହାତୀପଲ ପାଖକୁ ଆସିବା ଜାଣିପାରି ପରିବାର ଲୋକେ ଜୀବନ ବିକଳରେ ଚିତ୍କାର କରି ଘରୁ ବାହାରି ଗାଁ ଭିତରକୁ ଦୌଡ଼ି ଜଣଙ୍କ ଘରେ ଆଶ୍ରୟ ନେଇଥିବାରୁ ପରିବାରର ୬ଜଣ ସଦସ୍ୟ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ହାତୀପଲ ଘରକୁ ଭାଙ୍ଗିରୁଜି ଦେବା ସହ ଖାଇବା ପାଇଁ ଘରେ ଏକ ଡ୍ରମରେ ରଖାଯାଇଥିବା ଚାଉଳକୁ ମଧ୍ୟ ଖାଇଦେଇଥିବା ଭୀଷ୍ମ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି । ଘରେ ଥିବା ଧାନକୁ ହାତୀପଲ ସଂପୂର୍ଣ୍ଣ ଖାଇ ଘରର ଆସବାବପତ୍ର ମଧ୍ୟ ସବୁ ନଷ୍ଟ କରିଦେଇଥିଲେ । ଚାଉଳ ଡ୍ରମ ଭିତରେ ଭୀଷ୍ମ ରଖିଥିବା ଏକ ଭରି ଓଜନର ସୁନା ଗହଣା ଓ ଏକ ଆଟାଚିରେ ରଖିଥିବା ୩୫ହଜାର ଟଙ୍କା ନ ଥିବାରୁ ଏହା କୁଆଡ଼େ ଗଲା ବୋଲି ଭୀଷ୍ମ ପ୍ରଶ୍ନ କରିଛନ୍ତି । ଚାଉଳ ଡ୍ରମ ଓ ଆଟାଚି ଘର ବାହାରେ ପଡ଼ିଥିବା ସକାଳୁ ଆସି ଭୀଷ୍ମ ଦେଖିବାକୁ ପାଇଥିଲେ । ଏବେ ଭୀଷ୍ମଙ୍କ ବାପା, ସ୍ତ୍ରୀ ଓ ତିନି ପୁଅଝିଅଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ସେହିପରି ହାତୀପଲ ଗାଁର ଚାଷୀ ଦେବରାଜ ପଧାନ, ଗଣନାଥ ପଧାନଙ୍କ ସମେତ ବହୁ ଚାଷୀଙ୍କ ଧାନ ଓ କପା ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ବନ ବିଭାଗ ଓ ରାଜସ୍ଵ ବିଭାଗ ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବା ସହ ଭୀଷ୍ମ ପଧାନକୁ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏନେଇ ପୀଡ଼ିତ ଭୀଷ୍ମ ବନବିଭାଗ ଓ ତହସିଲ କାର୍ଯ୍ୟାଳୟକୁ ଆସି ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଗୁଡିଘାଟ ଆରଆଇ ମୀନିକେତନ ମାଝୀ ପହଞ୍ଚି ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଭୀଷ୍ମଙ୍କ ଘରର କ୍ଷୟକ୍ଷତି ଆକଳନ କରିବା ସହ ଏକ ପଲିଥିନ୍ ପ୍ରଦାନ କରିଥିଲେ । ସରକାରୀ ସହାୟତା ଯୋଗାଇ ଦେବାକୁ ସେ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ହାତୀପଲ ବାରବନ୍ଧ ଗାଁ ତଥା ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତ ଓ ଧନଜୀବନ ବିପନ୍ନ ହୋଇପଡ଼ିଛି ।

Leave A Reply

Your email address will not be published.