
- ଅଭିଯୁକ୍ତ ପ୍ରେମିକ ପୋକସୋ କୋର୍ଟ ଚାଲାଣ, ଜେଲ୍ ଗଲା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବଲାଙ୍ଗିର ଜିଲ୍ଲାର ଜଣେ ୧୪ବର୍ଷୀୟା ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଓ ବରଗଡ଼ ଜିଲ୍ଲାରେ ଥିବା ତାଙ୍କ ତଥାକଥିତ ୧୮ବର୍ଷୀୟ ପ୍ରେମିକଙ୍କ ମଧ୍ୟରେ ଗତ ୫ମାସ ତଳେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ମାନେନା ବାଧା ବନ୍ଧନ, ଜାତି ସମ୍ପ୍ରଦାୟ । ଛାତ୍ରୀଜଣଙ୍କ ଗତ ୧୨ ତାରିଖ ଘରୁ ଲୁଚି ଫେରାର ହୋଇଯାଇଥିଲେ ପ୍ରେମିକଙ୍କ ନିକଟକୁ । ଉଭୟ ପ୍ରେମିକଙ୍କ ଘରେ କିଛିଦିନ ସ୍ଵାମୀସ୍ତ୍ରୀ ଭଳି ଚଳିବା ପରେ ପୁଣି ମାଉସୀ ଘରେଥିବା ବେଳେ ହଠାତ୍ ପୁଲିସ ଚଢ଼ାଉ କରି ଆଣି ଗିରଫ ପରେ ଜେଲ୍ ପଠାଇ ଦେଇଛି ପ୍ରେମିକ ପ୍ରବରଙ୍କୁ । ଜେଲ୍ ଯାଇଥିବା ପ୍ରେମିକ ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ଥାନା ମହଦା ଗ୍ରାମର ଦିଲ୍ଲୀପ କୁମ୍ଭାରଙ୍କ ପୁଅ ଅଜିତ୍ କୁମ୍ଭାର(୧୮)ବୋଲି ପୁଲିସ ପ୍ରକାଶ କରିଛି । ଉଭୟଙ୍କ ଡାକ୍ତରୀମାଇନା ପରେ ପୁଲିସ ଅଧିକ ତଦନ୍ତ କରିଥିଲା । ଇନଷ୍ଟାଗ୍ରାମ ପ୍ରେମରୁ ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀ ବାହାର ଜିଲ୍ଲାର ଜଣେ ଅନ୍ୟ ଜାତିର ଯୁବକଙ୍କ ସହ ଘରୁ ଫେରାର ହୋଇଯାଇଥିବା ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ନାବାଳିକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରେମିକ ଅଜିତ୍ କୁମ୍ଭାରଙ୍କୁ ପୋକସୋ ମାମଲାର ବିଭିନ୍ନ ଦଫାରେ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।