jayashree

ସୁବର୍ଣ୍ଣପୁରରେ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଠାରେ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ୍ ସିଂହ ଯୋଗ ଦେଇ ବନ୍ୟପ୍ରାଣୀଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡି ହୋଇଛି ବୋଲି ମତ ରଖି ପ୍ରକୃତିର ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଏସପି ନାରାୟଣ ନାଏକ ଯୋଗ ଦେଇ କୌଣସି ବନ୍ୟ ପ୍ରାଣୀଙ୍କ ଶିକାର ନ କରିବାକୁ ଓ ନ ଖାଇବାକୁ ସଙ୍କଳ୍ପ କରାଇଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ତା ଯୋଗ ଦେଇ ଶ୍ରୀ ଜଗନ୍ନାଥ, ମାତା ଲକ୍ଷ୍ମୀ, ଦୂର୍ଗାଙ୍କ ଭଳି ଈଶ୍ୱରଙ୍କ ଅନେକ ବାହନ ହେଉଛନ୍ତି ଗୋଟେ ଗୋଟେ ବନ୍ୟ ପ୍ରାଣୀ । ତେଣୁ ପ୍ରତ୍ୟେକ ବନ୍ୟ ପ୍ରାଣୀ ସଂରକ୍ଷଣ କରିବା ଆମ ଧର୍ମ ବୋଲି ସଂସ୍କୃତି ସଭ୍ୟତା ଆମକୁ ଶିଖାଇଛି ବୋଲି କହିଥିଲେ । ଏସିଏଫ୍ ମନୋରଞ୍ଜନ ବାଗ, ଜୁଲୋଜି ପ୍ରାଧ୍ୟାପକ ଉମାକାନ୍ତ ନାଗ, ସିଡିଭିଓ ବିରୂପାକ୍ଷ ନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ଦିଗରେ ମତ ରଖିଥିବା ବେଳେ କର୍ମଯୋଗୀ ଗୋବିନ୍ଦ ମହାରଣା ଯୋଗ ଦେଇ ନିଜର ସୁସ୍ଥ ଜୀବନ ଯାପନ ପାଇଁ ମଣିଷ ଅନୁଭବ କରୁଛି ଯେ, ବନ୍ୟପ୍ରାଣୀଙ୍କୁ ଦୟା ନୁହେଁ ଶ୍ରଦ୍ଧା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ୍ ଓ ସିଟ୍ ଏଣ୍ଡ ଡ୍ର ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବନ ଓ ବନ୍ୟ ପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରଖି ମୁଖ୍ୟମନ୍ତ୍ରୀଙ୍କ ଠାରୁ ୨୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିବା ସୋନପୁର ବନାଞ୍ଚଳର ସିଦ୍ଧାର୍ଥ ସାହୁ ଓ ବୀରମହାରାଜ ବନାଞ୍ଚଳର ଲୋକନାଥ ଜଗଦଲାଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏସଏମ୍ଏସ ପ୍ରକାଶ ସାହୁ ସଭା ସଂଯୋଜନା କରିଥିବା ବେଳେ ଏସିଏଫ୍ ଗିରିଧାରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସୋନପୁର ରେଞ୍ଜର ସୁବାଷ ମହାପାତ୍ର, ଉଲୁଣ୍ଡା ରେଞ୍ଜର ଦେବରାଜ ଛତ୍ରିଆ, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବନାଞ୍ଚଳ ଅଧିକାରୀ, ଫରେଷ୍ଟର ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବି, ସାମ୍ୱାଦିକ, ଗଜସାଥୀ, ସ୍କ୍ୱାର୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.