jayashree

ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ମହିଳା ଭଲିବଲ ଓ ଯୋଗର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

  • ପ୍ରଶିକ୍ଷଣ ନେଉଥିବା ଛାତ୍ରୀମାନଙ୍କୁ ଏକାଗ୍ରତା ଓ ଲକ୍ଷ୍ୟ ନେଇ ଖେଳିବା ପାଇଁ ଆହ୍ୱାନ ଦେଲେ ବିଧାୟକ ସାରଦା ପ୍ରସାଦ ନାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୬ ସ୍ଥିତ ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବ ଚନ୍ଦ୍ରଶେଖର କ୍ରୀଡା ସଂଗଠନର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ସମିତି ରାଉରକେଲାର ଅଧ୍ୟକ୍ଷା ମେଘା ଅଗ୍ରୱାଲ, ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ଉପ ନିର୍ଦ୍ଦେଶକ ସୁଦୀପ ନାୟକ, ସମ୍ମାନିତ ଅତିଥି ଭାବେ ଭେଟରାନ୍ ଜାତୀୟ ଭଲିବଲ ଖେଳାଳୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ ଜାତୀୟ ଭଲିବଲ ରେଫ୍ରୀ ନିରଞ୍ଜନ ନାୟକ, ବସ୍ତିଆ ସ୍ମୃତି ସଦନର ମ୍ୟାନେଜିଂ ଟ୍ରଷ୍ଟି ଗୌତମ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଗତ ୩ ତାରିଖରୁ ବସ୍ତିଆ ସ୍ମୃତି ସଦନ ପରିସରରେ ଆରମ୍ଭ ହୋଇଥିବା ଭଲିବଲ ଓ ଯୋଗ ପ୍ରଶିକ୍ଷଣ ଶିବିର ପଶ୍ଚିମ ଓଡ଼ିଶାର ଭଲିବଲ ମ୍ୟାନ୍ ତଥା ଭଲିବଲ କୋଚ୍ ଦେବଦତ୍ତ ଜେନା ଓ ଆନ୍ତର୍ଜାତିକ ଯୋଗ ପ୍ରଶିକ୍ଷକ ସୁଶାନ୍ତ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲୁଥିଲା । ଏଥିରେ ୬୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଆଜି ଉଦଯାପନୀ ଉତ୍ସବରେ ଅତିଥିଙ୍କ ସମ୍ମୁଖରେ ଶିବିରର ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣ ପ୍ରଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀ ଅତିଥି ମାନଙ୍କୁ ବେଶ୍ ବିମୋହିତ କରିଥିଲା । ସମସ୍ତ ଅତିଥି ଏହି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଉପାଦେୟତା ଓ ଭାଗ ନେଇଥିବା ପ୍ରଶୀକ୍ଷାର୍ଥୀଙ୍କୁ ଏକାଗ୍ରତା ସହିତ ଖେଳି ଦେଶର ନାମକୁ ଉଚ୍ଚ କରିବା ପାଇଁ ଆହ୍ୱାନ କରିଥିଲେ । ରାଉରକେଲା ବିଧାୟକ ତଥା ଚନ୍ଦ୍ରଶେଖର କ୍ରୀଡା ସଂଗଠନର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଭଲିବଲ କୋଚ୍ ଦେବଦତ୍ତ ଜେନାଙ୍କ ଭଲିବଲ ପ୍ରତି ତାଙ୍କର ଉତ୍ସର୍ଗୀକୃତ ନିଷ୍ଠାପର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଭଲିବଲକୁ ଆଜି ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କର ଅବିରତ ପ୍ରୟାସ ଏକ ଅନନ୍ୟ ଉଦାହରଣ । ସମସ୍ତ ପ୍ରଶିକ୍ଷାର୍ଥୀ ଏକାଗ୍ରତା ଓ ଲକ୍ଷ୍ୟ ନେଇ ଖେଳିବାକୁ ସେ ଆହ୍ୱାନ ଦେଇଥିଲେ । ଉତ୍ସବରେ ଦକ୍ଷିଣ ରାଉରକେଲାରେ ମହିଳା ଭଲିବଲର ପ୍ରଶିକ୍ଷଣ ଆରମ୍ଭ କରିଥିବା କୋଚ୍ ତଥା ରାଜ୍ୟ ଭଲିବଲ ଖେଳାଳୀ ଜ୍ଞାନ ରଞ୍ଜନ ପ୍ରହରାଜଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର କ୍ରୀଡା ସଂଗଠନର ମୁଖ୍ୟ ସଂଯୋଜକ ସଞ୍ଜୀବ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବକୁ ସଫଳ ଆୟୋଜନରେ ଚନ୍ଦ୍ର ଶେଖର କ୍ରୀଡା ସଂଗଠନର ସମସ୍ତ ସଦସ୍ୟ ଓ ସ୍ମାର୍ଟ ଲେଡିଜ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.