
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ଏବଂ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପଦ୍ମପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମ୍.ଆଇ.ଏସ୍. ଦିବ୍ୟ କିଶୋର ପୁରୋହିତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଏନ୍.ଏ.ସି. ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ପାରିଷଦ କୁନାଲ ପାଣିଗ୍ରାହୀ, ପି.ଏଚ୍.ଡି. ଯନ୍ତ୍ରୀ ମିସ୍ ବବିତା ବିଶ୍ୱାସ ରାୟ ଏବଂ ସହକାରୀ ଯନ୍ତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ୱାର୍ଡର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଉଠା ଦୋକାନୀ, ମିଶନ ଶକ୍ତି ଗ୍ରୁପର ସଦସ୍ୟା ଏବଂ କଲେଜ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ । ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ଦ୍ରୁତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଦୈନିକ ବଜାରର ଉଠା ଦୋକାନୀମାନଙ୍କୁ ପରିଷଦ ତରଫରୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳ ସାଥି, ସ୍ୱଚ୍ଛ ସାଥି, ପ୍ଲାଣ୍ଟ ମ୍ୟାନେଜର, କମ୍ୟୁନିଟି ପାର୍ଟନର ଏବଂ ମିଲେଟ ମିଶନ ଗ୍ରୁପର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସହରର ବିକାଶ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ଏହି କାର୍ଯ୍ୟକ୍ରମ ଆହୁରି ମଜବୁତ କରିବ ବୋଲି ପ୍ରଶାସନ ପକ୍ଷରୁ ମତ ପ୍ରକାଶ ପାଇଛି ।