jayashree

ଇସ୍କଫର ୨୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମିଳନୀର ଦ୍ୱିତୀୟ ଦିବସରେ ଏହାର ପ୍ରତିନିଧି ଅଧିବେଶନ ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ ଉଦଯାପିତ ହୋଇଯାଇଛି । ଗୋକୁଳ ନନ୍ଦ ପଣ୍ଡା ଏବଂ ଡଃ କିଶୋରୀ ଦାସ ମାନଙ୍କୁ ନେଇ ଗଠିତ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିନିଧି ଅଧିବେଶନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୬ ଜଣ ପ୍ରତିନିଧି ସାଧାରଣ ସମ୍ପାଦକଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ତାଙ୍କର ମତ ପୋଷଣ କରିଥିଲେ । ପ୍ରତିନିଧିମାନେ ବିଶ୍ଵ ରାଜନୈତିକ ପରିସ୍ଥିତି ଓ ବିଶ୍ଵଶାନ୍ତି, ବିଶ୍ଵଭାତୃତ୍ୱ ଆଜି ବିପଦ ଗ୍ରସ୍ତ ବୋଲି ମନ୍ତବ୍ୟ ଦେବା ସହିତ ଭାରତବର୍ଷରେ କର୍ପୋରେଟ ସଂସ୍ଥାର ଅନୁପ୍ରବେଶ, ଧର୍ମନାମରେ ସାମ୍ପ୍ରଦାୟିକ ଆକ୍ରମଣକୁ ନିନ୍ଦା କରିଥିଲେ । ବିଭିନ୍ନତା ମଧ୍ୟରେ ଏକତା, ଭାଇଚାରା ତଥା ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଆଜିର ଦିନର ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଡଃ. ଚନ୍ଦ୍ରକାନ୍ତ ନାୟକ ଓ ଇଞ୍ଜିନିୟର ଆଦିଲ ମହମ୍ମଦଙ୍କ ସଭାପତିତ୍ୱରେ ଭାରତୀୟ ସଂସ୍କୃତି ସୁରକ୍ଷା ଓ ଆଜିର ଆହ୍ଵାନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବରେ ଡଃ. ପ୍ରଭାତ କୁମାର ମଲ୍ଲିକ ମହାନ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଆଗାମୀ ତିନି ବର୍ଷ ପାଇଁ ଏକ ଶହେଏକ ଜଣିଆ ରାଜ୍ୟ ପରିଷଦ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ନୂତନ ରାଜ୍ୟ ନେତୃତ୍ୱ ନିର୍ବାଚିତ ହୋଇଛନ୍ତି । ଏହି ରାଜ୍ୟ ପରିଷଦର ପରବର୍ତ୍ତୀ ବୈଠକ ଡିସେମ୍ବର ୭ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ହୋଇଥିବା ବେଳେ, ଆଗାମୀ ଡିସେମ୍ବର ୨୮ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଇସ୍କଫ ଜିଲ୍ଲା କମିଟି ଦ୍ୱାରା ସାମ୍ରାଜ୍ୟବାଦୀ ଫାଶିବାଦ ବିଶ୍ଵଶାନ୍ତି ପ୍ରତି ବିପଦ ଶୀର୍ଷକ ବିଷୟ ଉପରେ ଆଲୋଚନାଚକ୍ର ମାନ ସଂଗଠିତ କରିବାପାଇଁ ଏହି ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନୀରେ ବିଶ୍ଵଶାନ୍ତି, ଭାଇଚାରା ରକ୍ଷା କରିବା ସହିତ, ସାମ୍ପ୍ରଦାୟିକ ସମ୍ପ୍ରିତି ଓ ସମ୍ବିଧାନର ସୁରକ୍ଷା ପାଇଁ ଇସକଫ ତାର କାର୍ଯ୍ୟକ୍ରମ ଜାରି ରଖିବାକୁ ଆହ୍ୱାନ ଦେଇଛି । ଶେଷରେ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ବିଶେଷ ସହଯୋଗ ପାଇଁ ସଦସ୍ୟ ପଞ୍ଚାନନ ସୁନା, ପ୍ରମୋଦ ବେହେରା, ବୁଦ୍ଧୁଆ ଯୋଯୋ, ନଗେନ୍ ଦାସ, ଅକ୍ଷୟ ସାମଲ, ବିଜୟାନନ୍ଦ ପ୍ରଧାନ ଓ ସବ୍ୟସାଚୀ ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.