
ରାଉରକେଲା, (ସସ୍ମିତା ପ୍ରଧାନ) : ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଚାରି ଦିନିଆ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ ୨୦୨୬ ଉଦ୍ଘାଟିତ ହୋଇଯାଇଛି । ଏହି ଚାମ୍ପିୟନସିପ୍ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଚେସ୍ ପ୍ରତିଭାମାନେ ଭାଗ ନେଇଛନ୍ତି । ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆୟୋଜନ କମିଟି ଅଧ୍ୟକ୍ଷ ତଥା ଆର୍ଏସ୍ପିର ପୂର୍ବତନ ସିଜିଏମ୍ ପ୍ରତାପ କୁମାର ସ୍ୱାଇଁ, ଗ୍ରାଣ୍ଡ ମାଷ୍ଟର ସ୍ୱୟଂ ମିଶ୍ର, ସର୍ବ ଓଡ଼ିଶା ଚେସ୍ ଆସୋସିଏସନ୍ର ପୂର୍ବତନ ସଭାପତି ଜି.ସି. ମହାପାତ୍ର, ଯୁଗ୍ମ ସମ୍ପାଦକ ତଥା ଭାରପ୍ରାପ୍ତ ସମ୍ପାଦକ ଭବେଶ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲା ଚେସ୍ ଆସୋସିଏସନ୍ର ସଭାପତି ଶରତ କୁମାର ଦାସ, ମୁଖ୍ୟ ଅର୍ବିଟର ଆଇଏ ସୁରେଶ ଚନ୍ଦ୍ର ସାହୁ ଏବଂ ଡେପୁଟି ମୁଖ୍ୟ ଅର୍ବିଟର ଏଫ୍ଏ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ଦିବସରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ୧୨ଟି ଜିଲ୍ଲାରୁ ମୋଟ ୧୩୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ଏଥିମଧ୍ୟରୁ ଓପନ୍ ବିଭାଗରେ ୧୦୩ ଜଣ ଏବଂ ବାଳିକା ବିଭାଗରେ ୩୬ ଜଣ ଖେଳାଳି ଅଛନ୍ତି । ଓପନ୍ ବିଭାଗରେ ୩୧ ଜଣ ରେଟେଡ୍ ଖେଳାଳି ଥିବା ବେଳେ ବାଳିକା ବିଭାଗରେ ୧୧ ଜଣ ରେଟେଡ୍ ଖେଳାଳି ଅଛନ୍ତି । ଉଭୟ ଚାମ୍ପିୟନସିପ୍ ସୁଇସ୍ ଲିଗ୍ ପଦ୍ଧତିରେ ୮ ରାଉଣ୍ଡ ବିଶିଷ୍ଟ ହେବ । ସୂଚନାଯୋଗ୍ୟ ଯେ, ଉଭୟ ବିଭାଗର ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଆସନ୍ତା ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର କାଙ୍ଗଡା ଫୋର୍ଟ, ବର୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଚେସ୍ ଚାମ୍ପିୟନସିପ୍ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ । ଏହି ପ୍ରତିଯୋଗିତାକୁ ସ୍ୱରୁପାମୟୀ ଦାଶ, ବିଷ୍ଣୁପ୍ରିୟା ସାମଲ, ସତ୍ୟଜିତ ବାରିକ, ଚନ୍ଦ୍ରଶେଖର ପଣ୍ଡା, ଦିନେଶ କୁମାର ବେହେରା, ଯୋଗବନ୍ତୀ ବେହେରା,ପ୍ରଭାତ ଦାସ, ପ୍ରଦୀପ ବିଶୋଇ, ପ୍ରଶାନ୍ତ କୁମାର ବିହାରୀ, ଜୟନ୍ତ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।