csstore

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି କୋଶଳ କଳା ମଣ୍ଡପ ପଡ଼ିଆ ଠାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର, ବଲାଙ୍ଗିର ପକ୍ଷରୁ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମଟି ୨୭ ଜୁନ୍ ଠାରୁ ୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ। । ମୁଖ୍ୟ ସଞ୍ଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ନୀରଜ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଏସ୍‌ଏମ୍‌ ସଭାପତି ପ୍ରକାଶ ଚନ୍ଦ୍ର ନେପାକ, ଉପ ସଭାପତି ପଶ୍ଚିମାଞ୍ଚଳ ସିଦ୍ଧେଶ୍ଵର ମିଶ୍ର, ଅବସରପ୍ରାପ୍ତ ଶାଖା ପରିଚାଳକ ଓରିଏଣ୍ଟାଲ ଇନସୁରେନ୍ସ କୃଷ୍ଣଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ବଲାଙ୍ଗିର ଜିଲ୍ଲାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ କରିବା, ନୂତନ ଓ ଆଶାୟୀ ଉଦ୍ୟୋଗୀମାନଙ୍କୁ ଏକତ୍ରିତ କରି ପ୍ରୋତ୍ସାହିତ କରିବା । ବିଶେଷତଃ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମାଞ୍ଚଳର କାରିଗରମାନଙ୍କୁ ବ୍ୟବସାୟିକ ସୁଯୋଗ ଯୋଗାଇବାରେ ଏହି ମେଳା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବ । କୋଶଳ କଳା ମଣ୍ଡପ ପଡ଼ିଆରେ ସ୍ଥାପିତ ଷ୍ଟଲ୍‌ଗୁଡ଼ିକରେ ସ୍ଥାନୀୟ ହସ୍ତତନ୍ତ, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦର ପ୍ରଦର୍ଶନୀ ସହ ବିକ୍ରୟ ବ୍ୟବସ୍ଥା ରହିଛି । ୫ ଦିନ ଧରି ବିଭିନ୍ନ ବୈଷୟିକ ଅଧିବେଶନ ଆୟୋଜିତ ହେବ, ଯେଉଁଥିରେ ଶିଳ୍ପ ବିଶେଷଜ୍ଞମାନେ ନୂତନ ପ୍ରଯୁକ୍ତି, ବଜାର ସଂଯୋଗ ଓ ବ୍ରାଣ୍ଡିଂ ବିଷୟରେ ଉଦ୍ୟୋଗୀଙ୍କୁ ପରାମର୍ଶ ଦେବେ । ସେହିପରି ସରକାରଙ୍କ ବିଭିନ୍ନ ଋଣ ଯୋଜନା, ସବ୍‌ସିଡି ଏବଂ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ଖୋଲାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିଗଣ ପ୍ରକାଶ କରିଛନ୍ତି ଯେ, ବଲାଙ୍ଗିର ଭଳି ଏକ ଆକାଂକ୍ଷୀ ଜିଲ୍ଲାରେ ଏଭଳି ଆୟୋଜନ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସ୍ଥାନୀୟ କାରିଗରଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ । ଜିଲ୍ଲା ଶିଳ୍ପ କେନ୍ଦ୍ର, ବଲାଙ୍ଗିର ପକ୍ଷରୁ ସମସ୍ତ ବ୍ୟବସାୟୀ, କାରିଗର, ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତା, ଛାତ୍ରଛାତ୍ରୀ ଏବଂ ଜିଲ୍ଲାବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେଇ ଏହାର ଲାଭ ଉଠାଇବାକୁ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଛି । ଆଜିର କାର୍ଯ୍ୟକ୍ରମର ସଞ୍ଚାଳନା ସହକାରୀ ଶିଳ୍ପ ଅଧିକାରୀ ଖିରାବତୀ ଡୂଙ୍ଗଡୂଙ୍ଗ କରିଥିଲେ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.