
- ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆଁ ପଦକ୍ଷେପ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ନିର୍ମିତ ଆଧୁନିକ ଦୈନିକ ବଜାର ଆଜି ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବଜାରର ଉଦ୍ଘାଟନ କରିଥିଲେ । ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟକ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଏବଂ ରାଜସ୍ୱ ହସ୍ତାନ୍ତର ପାଣ୍ଠି ସହାୟତାରେ ପ୍ରାୟ ୧.୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏହି ନୂତନ ବଜାରରେ ବ୍ୟବସାୟୀଙ୍କ ପାଇଁ ୯୦ଟି ସେଲ୍ (ଷ୍ଟଲ୍)ର ବ୍ୟବସ୍ଥା ରହିଛି, ଯାହା ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇସାରିଛି । ଏଠାରେ ପରିବା ବ୍ୟବସାୟୀ, ଚାଷୀ, କପଡ଼ା ବ୍ୟବସାୟୀ, ବହି ଦୋକାନ ଏବଂ ଫ୍ୟାନ୍ସି ଷ୍ଟୋର୍ ସମେତ ବିଭିନ୍ନ ବ୍ୟବସାୟୀ ନିଜର ବ୍ୟବସାୟ ସୁରୁଖୁରୁରେ କରିପାରିବେ । ଏହି ବଜାର ପରିସରରେ ଶୌଚାଳୟ, ପାନୀୟ ଜଳର ସୁବିଧା, ପାଚେରୀ, ଗେଟ୍ ଏବଂ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଭଳି ସୁବିଧା ରହିଛି । ଏହା ସହିତ ବଜାର ପ୍ରାଙ୍ଗଣର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବଳକା କାର୍ଯ୍ୟରେ ପାର୍କିଂ ସୁବିଧା ଅନ୍ୟତମ । ବ୍ୟବସାୟୀମାନଙ୍କ ପାଇଁ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ମାତ୍ର ୧୦ ଟଙ୍କା ଦୈନିକ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଉଦ୍ଘାଟନ ଅବସରରେ ସାଂସଦ, ବିଧାୟିକା ଏବଂ ଏନ୍ଏସି ଅଧ୍ୟକ୍ଷଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ପୌର ଯନ୍ତ୍ରୀ ରାମ ଚନ୍ଦ୍ର ନାୟକ, ସହାୟକ ଯନ୍ତ୍ରୀ ଅଶୋକ କୁମାର ଭୋଇଙ୍କ ସମେତ ସମସ୍ତ କାଉନସିଲର ତଥା ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ ।