pakka

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଉଦ୍‌ଘାଟିତ

  • ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ ଅପ୍‌ ସେକ୍ଟରରେ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିକୁ ଉଦ୍ୟୋଗୀ ସପ୍ତାହ ଭାବେ ମାର୍ଚ୍ଚ ପ୍ରଥମ ସପ୍ତାହକୁ ପାଳନ କରାଯାଇ ଆସୁଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଉଛି । ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହକୁ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ ଅପ୍‌ ସେକ୍ଟରରେ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ । ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ ଅପ୍‌ ସେକ୍ଟରରେ ସ୍ଥାନୀୟ ନିଯୁକ୍ତିର ସୁଯୋଗ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ପ୍ରଗତି ଘଟିପାରିବ ବୋଲି ପ୍ରକାଶ କରିଥିଲେ । ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ ଅପ ସେକ୍ଟରରେ ସୁଯୋଗ ଯୋଗାଇ ଦେବା ନିମନ୍ତେ ସିଂଗଲ ୱିଣ୍ଡୋ ପୋର୍ଟାଲ ତଥା ଏମ୍‌ଏସ୍‌ଏମ୍‌ଇ ସହାୟତା କେନ୍ଦ୍ର ସମ୍ପର୍କରେ ସୂଚନା ଦେଇଥିଲେ । ଏସ୍‌ଏଚ୍‌ଜିରୁ ଏମ୍‌ଏସ୍‌ଏମ୍‌ଇ ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ସଭାରେ ରାଜ୍ୟ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମୀନା କୁମାରୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସମ୍ବଳର ସୁବିନିଯୋଗ କରି ଏମଏସଏମଇ କ୍ଷେତ୍ରରେ ଆକୃଷ୍ଟ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏସଏଚଜି ରୁ ଏମଏସଏମଇ ସମ୍ପର୍କରେ ଆଲୋକପାତ କରିବା ସହ ଏମ୍‌ଏସ୍‌ଏମ୍‌ଇ ପଲିସି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଭୁବନେଶ୍ଵରର ଅଧିକାରୀ ଡ଼ ସଞ୍ଜୁକ୍ତା ବଢାଇ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗୀମାନଙ୍କ ତାଲିମ ତଥା ଦକ୍ଷତା ବିକାଶ ସମ୍ପର୍କରେ ଆଲୋଚନା କରିବା ସହ ଷ୍ଟାର୍ଟ ଅପ୍‌ ଓଡିଶା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଲାଙ୍ଗିରର ଆଞ୍ଚଳିକ ପ୍ରବନ୍ଧକ ଭାଗବତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ନିମନ୍ତେ ଥିବା ଋଣ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବିଷ୍ଣୁ ପ୍ରସାଦ ଦାଶ ସଭାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବଲାଙ୍ଗିର ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଓଡିଶା ଏସେମ୍ବ୍ଲି ଅଫ ସ୍ମଲ ମିଡିଅମ୍‌ ଏନ୍ଟରପ୍ରାଇଜ୍‌ର ଉପାଧ୍ୟକ୍ଷ ସିଦ୍ଧେଶ୍ଵର ମିଶ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ୮୦ଟ ଷ୍ଟଲ୍ ସ୍ଥାନିତ ହୋଇଛି । ଏହ ଷ୍ଟଲଗୁଡ଼ିକରେ ହସ୍ତଶିଳ୍ପ, ମିଶନ୍ ଶକ୍ତି, ବସ୍ତ୍ର (ଟେକ୍ସଟାଇଲ ଷ୍ଟଲ), ପି.ଏମ୍‌.ଏଫ୍‌.ଏମ୍‌.ଇ, ପି.ଏମ୍‌.ଇ.ପି.ଜି, ଏମ୍‌.ଏସ୍‌.ଏମ୍‌.ଇ.ଷ୍ଟଲ୍‌ ଅଂଶ ଗ୍ରହଣ କରିଛନ୍ତି । ସେହିପରି କୃଷି ତଥା ଋଣ ପ୍ରଦାନକାରୀ ସଂସ୍ଥା ଯଥା କୃଷି ବିଭାଗ, ଉଦ୍ୟାନ ବିଭାଗ, ନାବାର୍ଡ, ବ୍ୟାଙ୍କ, ବୀମ ସଂସ୍ଥା, ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥା ମଧ୍ୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି । ଆଜି ଉଦ୍‌ଘାଟନୀ ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଣା ପ୍ରଦର୍ଶନୀ ଷ୍ଟଲଗୁଡିକୁ ବୁଲି ଦେଖିବା ସହ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଉଦ୍‌ଘାଟନୀ ଉତ୍ସବ ପରେ ଷ୍ଟାର୍ଟ ଅପ୍‌ ଓଡିଶା, ବ୍ୟାଙ୍କିଙ୍ଗ ନିୟମାବଳୀ, ସଫଳ ଉଦ୍ୟୋଗୀ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଡ଼. ସଞ୍ଜୁକ୍ତା ବଢାଇ, ସାରସ କୁକୁଡା ଫାର୍ମ ପାଟଣାଗଡର ସଚିଦାନନ୍ଦ ମେହେର, ସମଲେଶ୍ଵରୀ ଇଞ୍ଜିନିଅରିଙ୍ଗ ପାଟଣାଗଡର ସବ୍ୟସାଚୀ ମାଝି ପ୍ରମୁଖ ଆଲୋଚନା କରିଥିଲେ । ଏହି ଉତ୍ସବରେ ବହୁ ଉଦ୍ୟୋଗୀ, ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ଶିଳ୍ପ ବିଭାଗ, ଦୀପାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − 5 =