
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପୁରାତନ ବିଦ୍ୟାଳୟ ମଧ୍ୟରୁ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କମିଟିର ନିଜସ୍ଵ ପାଣ୍ଠିରୁ ଲଗାଯାଇଥିବା ସିସିଟିଭିର ଉଦ୍ଘାଟନ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ କରକମଳରେ ସ୍ୱିଚ୍ ଟିପି ଉଦ୍ଘାଟନ କରାଯାଇଛି । ପ୍ରଥମେ ଉଭୟ ଅତିଥିଙ୍କୁ ବିଦ୍ୟାଳୟ କମିଟିର ସଦସ୍ୟମାନେ ସ୍ଵାଗତ କରି ବିଦ୍ୟାଳୟ ପରିସରକୁ ପାଛୋଟି ଆଣିଥିଲେ । ଏହାପରେ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ମାନଙ୍କ ସହ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ବିଦ୍ୟାଳୟ କମିଟିର ସଭାପତି ସୁବୋଧ ଦାସ, କାଉନ୍ସିଲର୍ ସୁନିଲ ଆଚାର୍ଯ୍ୟ, ସୁନିତା ନାଗ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର ମଞ୍ଚାସୀନ ଥିଲେ । ଦୀର୍ଘବର୍ଷ ଧରି ବିଦ୍ୟାଳୟର ଉନ୍ନତି ନହେବା ଅତି ଦୁଃଖର ବିଷୟ ବୋଲି କହିବା ସହ ଆଗାମୀ ଦିନରେ ମୋ’ ଦ୍ଵାରା ଯାହା ସମ୍ଭବ ମୁଁ କରିବି ବୋଲି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କହିଥିଲେ । ସେହିପରି ମୁଖ୍ୟ ଅତିଥି ନବୀନ ଜୈନ ଏହି ବିଦ୍ୟାଳୟର ଆଜିଠୁ ମୁଁ ମଧ୍ୟ ସଦସ୍ୟ ହେଲି ବୋଲି ଘୋଷଣା କରିବା ସହ ଆଗାମୀ ଦିନରେ ମୋ’ ଦ୍ଵାରା ଯଥା ସମ୍ଭବ ବିଦ୍ୟାଳୟର ଯାହା ଦରକାର ମୁଁ ନିଶ୍ଚୟ କରିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଯେହେତୁ ମୁଁ ଏ ମାଟିର ସନ୍ତାନ, ଏ ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ, ସହରର ପ୍ରାଥମିକ ସମସ୍ୟା ଯାହାକି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଦ୍ୟୁତ୍ ରହିଛି ଧୀରେ ଧୀରେ ଅତି ଶୀଘ୍ର ଏହି ସମସ୍ୟାର ସମାଧାନ ନିଶ୍ଚିତ ଭାବରେ କରିବି ବୋଲି କହିଛନ୍ତି । ଏହି ଅବସରରେ ପଡ଼ାର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବନମାଳୀ ଦାସ ।
